ଆଫଗାନରେ ଜୀବନ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ପିଲାଙ୍କୁ ବଞ୍ଚାଇବାକୁ ସୈନ୍ୟ ହାତକୁ ଟେକି ଦେଉଛନ୍ତି ଅସହାୟ ପିତାମାତା । କାବୁଲରୁ ଆସିଲା ଛାତିଥରା ଫଟୋ…

351

କନକ ବ୍ୟୁରୋ: କାବୁଲକୁ ତାଲିବାନ କବଜା କରିବା ପରେ ଆଫଗାନିସ୍ତାନରେ ଚାଲିଛି ଏକଛତ୍ରବାଦୀ ଶାସନ । ତାଲିବାନୀଙ୍କ ଆତଙ୍କରେ ତ୍ରାହିତ୍ରାହି ଡାକୁଛନ୍ତି ଆଫଗାନବାସୀ । ତାଲିବାନୀ ରାଜୁତି ପରେ ବିଗତ ଦଶ ଦିନ ହେବ ଆଫଗାନୀସ୍ତାନରୁ ଆସୁଛି ଭିନ୍ନ ଭିନ୍ନ ଖବର । ଯାହା ସମସ୍ତଙ୍କୁ ବ୍ୟଥିତ କରିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଚିତ୍ର ଦେଖାଇବୁ, ଯାହାକୁ ଦେଖିଲା ପରେ ଆପଣ ବି କିଛି ସମୟ ଅଟକି ଯିବେ । ସେହି ଦୃଶ୍ୟ ଉପରେ ଆପଣଙ୍କ ଆଖି ଅଟକିଯିବ ଆଉ ଆପଣ ଭାବିବାକୁ ବାଧ୍ୟ ହେବେ, ଯେ ସତରେ ଆଫଗାନରେ ଚାଲିଛି କଣ…? ତାଲିବାନୀଙ୍କ ଆତଙ୍କ ଓ ଭୟ ଭିତରେ ଏ ଚିତ୍ର କେତେ କେତେ କଥା କହୁଛି ।

କାବୁଲ ଏୟାରପୋର୍ଟର ଏ ଚିତ୍ରକୁ ଥରେ ଦେଖନ୍ତୁ । କେମିତି ଜଣେ ବାପା ଛୁଆକୁ ତାଲିବାନୀ ମୁହଁରୁ ବଞ୍ଚାଇବାକୁ ପିଲାକୁ ସେନା ହାତକୁ ଟେକି ଦେବାକୁ ଆଗେଇ ଯାଉଛନ୍ତି । ଆକାଶରୁ ବର୍ଷା ପଡୁଛି । ହେଲେ ପ୍ରବଳ ବର୍ଷାକୁ ଖାତିର ନକରି ପିଲାକୁ ନେଇ ଆଗେଇ ଚାଲିଛନ୍ତି ଏ ବାପା ଜଣକ, କାରଣ ସେ ଜାଣିଛନ୍ତି ଟିକେ ଡେରି ହୋଇଗଲେ ତାଲିବାନୀଙ୍କ ଗୁଳିବର୍ଷାର ଶିକାର ହେବାକୁ ପଡିବ । ଆକାଶର ବର୍ଷା ସିନା ଦେହ ଭିଜେଇ ଦେବ, ହେଲେ ଆତଙ୍କୀଙ୍କ ଗୁଳିବର୍ଷା ଜୀବନ ନେଇଯିବ…

ଆଫଗାନୀସ୍ତାନରେ ମହିଳା ଓ ଶିଶୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତାଲିବାନୀମାନେ ଘର ଘର ବୁଲି ବିବାହ କରିବାକୁ ଓ ଯୌନ ଯନ୍ତ୍ରଣା ଦେବାକୁ ଯୁବତୀଙ୍କୁ ଖୋଜୁଛନ୍ତି । ଶିଶୁଙ୍କ ଜୀବନ ବି ବିପଦ ଘେରରେ ରହିଛି । ଆଉ ଏଭଳି ପରିସ୍ଥିତିରେ ଗୋଟେ ଅସହାୟ ମାଆ ବିଦେଶୀ ସେନା ହାତକୁ ତା ଜନ୍ମକଲା ଛୁଆକୁ ଛଳଛଳ ଆଖିରେ ଟେକି ଦେଉଛି । କାରଣ ସେ ଜାଣିଛି ପାଚେରୀ ଏପଟେ ଯମ, ପାଚେରୀ ସେପଟେ ଜୀବନ । ଏପଟେ ମୃତ୍ୟୁର ମାଟିରେ ଛକିଛନ୍ତି ସୈତାନ, ସେପଟେ ସୁରକ୍ଷାର ଭରସା ଦେଇ ଡାକୁଛନ୍ତି ସୈନ୍ୟ । ମୁଁ ପଛେ ମରିଯାଏ, ମୋ ପିଲା ବଞ୍ଚିଯାଉ… ମୋ ପିଲା ସୁରକ୍ଷିତ ରହୁ । ଆତଙ୍କୀଙ୍କ ଆଖି ସାମ୍ନାରୁ ଦୂରେଇ ଯାଉ ମୋ ସୁନାଧନ, ମୋ ପାଖେ ନହେଲା ନାହିଁ ସେ ବିଦେଶରେ ବଢୁ, ବିଦେଶରେ ବଞ୍ଚୁ… କିନ୍ତୁ ସେ ଏ ଦେଶ ଛାଡିଦେଉ… କିଏ ଜାଣେ କେତେବେଳେ, କେଉଁ ମୁହୂର୍ତ୍ତରେ ତାଲିବାନୀଙ୍କ ବିଷମିଶା ତୀର ଛାତିରେ ବାଜିଯିବ ଆଉ ଜୀବନ ଚାଲିଯିବ । ତେଣୁ ନିଜ ରକ୍ତର ସନ୍ତାନକୁ ସୁରକ୍ଷିତ ରଖିବାକୁ ଲହୁ ଲୁହର ଲକ୍ଷ୍ମଣରେଖା ଡେଇଁ ସେନା ପାଖକୁ ଧାଇଁଯାଉଛନ୍ତି ଆଫଗାନୀ ମାଆ । ବିଦେଶୀ ଦେବଦୂତଙ୍କୁ ଛୁଆକୁ ଧରାଇ ଦେଇ ମୁଣ୍ଡିଆ ମାରୁଛନ୍ତି… ସତରେ କାବୁଲର ଏ କରୁଣ କାହାଣୀ କେବେ ଦେଖି ନଥିଲା ଏ ବିଶ୍ୱ ।

ସେପଟେ ଜନ୍ମକଲା ମାଆ ପାଖରୁ ତା ପିଲାକୁ ସୁରକ୍ଷିତ ଉଦ୍ଧାର କରି ଆଣିଥିବା ସେନାର ମହିଳା ବି କୁନିକୁନି ପିଲାମାନଙ୍କୁ ମାଆ ପରି ଯତ୍ନ ନେଉଛନ୍ତି । ନିଷ୍ପାପ ଶିଶୁଙ୍କର ବା ଭୂଲ କଣ, ସେଇଥିପାଇଁ ତ ଏ କଅଁଳ କଢିକୁ କୋଳେଇ ନେଇଛନ୍ତି ମହିଳା ସୈନିକ ।

ଆଙ୍କରେ ଥରହର ହେଉଥିବା ଆଫଗାନୀ ବାପାମାଆଙ୍କ ପାଇଁ ସଙ୍କଟ ମୋଚକ ସାଜିଛନ୍ତି ବିଦେଶୀ ସୈନିକ । ୩୦ ଅଗଷ୍ଟ ସୁଦ୍ଧା ତାଲିବାନୀମାନେ କାବୁଲ ବିମାନ ବନ୍ଦରରୁ ସେନା ପ୍ରତ୍ୟାହାର କରିବାକୁ ଆମେରିକାକୁ ଧମକ ଦେବା ପରେ ସେନାବାହିନୀ ଜୋରଦାର କରିଛନ୍ତି ଉଦ୍ଧାର କାର୍ଯ୍ୟ । ଆଉ ଏତିକି ବେଳେ ଆତଙ୍କୀ ମାଟିରେ ବାପାମାଆ ଭଳି ପିଲାଙ୍କ ଯତ୍ନ ନେଉଛନ୍ତି ସୈନ୍ୟମାନେ । ପିଲାଙ୍କ ପେଟ କଥା ବୁଝି ଖାଇବାକୁ ଦେଉଛନ୍ତି, ଭୋକିଲା, ଶୋଷିଲା ପିଲାଙ୍କୁ ପାଣି ପିଆଉଛନ୍ତି ।

ତାଲିବାନୀ ଡରରେ ଯେତେବେଳେ ଡହଡହ ଖରାକୁ ଖାତିର ନକରି ବାପା ମାଆ ସେନା ହାତକୁ ଛୁଆକୁ ଟେକି ଦେଇଛନ୍ତି ସେତେବେଳେ ବିଦେଶୀ ସେନା ପାଖରୁ ପଳେଇଯିବାକୁ ରାହା ଛାଡି କାନ୍ଦୁଛନ୍ତି କୁନିକୁନି ପିଲା । ବାପାମାଆଙ୍କୁ ନପାଇ ଖୋଜି ହେଉଛନ୍ତି । ଆଉ କୁନି ପିଲାଙ୍କୁ ତୁନି କରି ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି ସେନାବାହିନୀ । ମହିଳା ସୈନିକ ମାନେ ବି ମାଆ ପରି ଶରଣାର୍ଥୀ ଆଫଗାନୀ ଶିଶୁଙ୍କୁ ସ୍ନେହ, ପ୍ରେମ ଦେବାରେ ହେଳା କରୁ ନାହାନ୍ତି…

ଆଫଗାନରେ ଉଦ୍ଧାରର ଏ ଛାତିଥରା ଚିତ୍ର ଯେତିକି ବ୍ୟଥିତ କରୁଛି ସେତିକି ବିଦେଶୀ ସେନାଙ୍କ ପ୍ରତି ସମ୍ମାନ ବି ବଢାଇ ଦେଉଛି । ସତରେ ଦେବଦୂତଙ୍କର ନା ଧର୍ମ ଥାଏ ନା ଜାତିଭେଦ । ବିପଦ ବେଳେ ଜୀବନ ବଞ୍ଚାଉଥିବା ଦୈବିଶକ୍ତିର ନାଁ ଦେବଦୂତ । ମଣିଷ ଭିତରେ ଥିବା ମଣିଷପଣିଆର ମନ୍ଦିର…