ମୁଁ ପଢିବାକୁ ଚାହେଁ ! କିନ୍ତୁ ମା’ ମନା କରୁଛି, ପଢନ୍ତୁ କ୍ୟାନସର ପୀଡିତ ଚାଷୀ ଝିଅର କୋହଭରା କାହାଣୀ ।

34

କିଡନୀ କ୍ୟାନସରରେ ପୀଡିତ ଥିବା ଚାଷୀଙ୍କ ଦୁଃଖ ଏବଂ କଷ୍ଟ ଯେତେବେଳେ ସହି ହୋଇନଥିଲା ସେତେବେଳେ ପତ୍ନୀ ଚାକିରୀ ଛାଡି ଦେଇଥିଲେ । ତିନି ଜଣ ଝିଅଙ୍କ ପଢାରେ ମଧ୍ୟ ବାଧା ଉପୁଜିଛି । ସାନ ପୁଅ ପଢିବାକୁ ଇଚ୍ଛା କରୁଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ । ହସଖୁସିରେ ବଞ୍ଚୁଥିବା ପରିବାରଟି ଏବେ ଦୁଃଖ ଓ କଷ୍ଟର ସାଗରରେ ବୁଡି ଯାଇଛି ।

କନ୍ନୌଜ ଜିଲ୍ଲା ଠଠିଆର ଖେରେଶ୍ୱର ମନ୍ଦିର ପାଖରେ ରହୁଥିବା ୩୮ ବର୍ଷୀୟା ପୁଷ୍ପା କୁଶବାହା କହିଛନ୍ତି ଯେ, ତାଙ୍କ ସ୍ୱାମୀ ୮,୯ ମାସ ହେବ ଅତ୍ୟନ୍ତ ଅସୁସ୍ଥ ଅଛନ୍ତି । ପୁଷ୍ପା ତାଙ୍କ ସ୍ୱାମୀଙ୍କୁ ନେଇ କିଛି ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ । ଡାକ୍ତରଙ୍କ କହିବା କଥା ସେ କିଡନୀ କ୍ୟାନସରରେ ପୀଡିତ ଅଛନ୍ତି । ତାଙ୍କ ଚିକିତ୍ସାରେ ଏପର୍ଯ୍ୟନ୍ତ ପାଖାପାଖି ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଏପରିକି ଚିକିତ୍ସା ପାଇଁ ସେ ପାଳିଥିବା ୫ଟି ଛେଳି ମଧ୍ୟ ବିକ୍ରି କରିସାରିଲେଣି । ୧୦୦ ଟଙ୍କାରେ ୫ଟଙ୍କା ସୁଧ ହାରରେ ପାଖାପାଖି ୫୦ହଜାର ଟଙ୍କା କରଜ କରିସାରିଲେଣି । ଏସବୁର ହିସାବ ସେ ଲେଖି ରଖିଛନ୍ତି ।

ପୁଷ୍ପା କହିଛନ୍ତି ଯେ, ପ୍ରଥମେ ସେ କାନପୁରରେ ଡାକ୍ତର ଏସକେ କଟିୟାରଙ୍କୁ ଦେଖାଇଥିଲେ । ଆଉ ଏହା ପରେ ଜେକେ କ୍ୟାନସର ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ଏହା ପରେ ଆହୁରି ମଧ୍ୟ କିଛି ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା । ହସ୍ପିଟାଲ ଗୁଡିକରେ ତାଙ୍କର ପରୀକ୍ଷାନିରୀକ୍ଷାରେ ଅନେକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ।

ଭୋକ ଓପାସରେ ରହୁଥିଲେ ମଧ୍ୟ ନିଜ ସ୍ୱାମୀଙ୍କ କଷ୍ଟ ସେ ସହିପାରୁନାହାନ୍ତି । ପ୍ରତିଦିନ ତାଙ୍କୁ ୧୫୦ ଟଙ୍କାର ଇଞ୍ଜେକସନ ଦିଆଯାଉଛି । କେବେ କେବେ ଗୋଟିଏ ଦିନରେ ଦୁଇ ତିନୋଟି ଇଞ୍ଜେକସନ ମଧ୍ୟ ଦିଆଯାଇଥାଏ । ପୁଷ୍ପା ରାମପୁର ଗ୍ରାମର ମୁଖିଆଙ୍କ ପାଖକୁ ସହାୟତା ପାଇଁ ଯାଇଥିଲେ । ମୁଖିଆ ତାଙ୍କୁ ୧ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ପୁଷ୍ପାଙ୍କ କହିବା କଥା ସେ ଜାଣିନାହାନ୍ତି ଯେ, କେଉଁ ପ୍ରତିନିଧି କିମ୍ବା ଅଧିକାରୀଙ୍କ ପାଖକୁ ଗଲେ ତାଙ୍କୁ ସହାୟତା ମିଳିବ ।
ସ୍ୱାମୀ ମହେନ୍ଦ୍ର ସିଂହଙ୍କର ଶିକ୍ଷାଗତ ଯୋଗ୍ୟତା ନବମ ଶ୍ରେଣୀ । ତାଙ୍କର ଅଳ୍ପ କିଛି ଜମିବାଡି ରହିଛି । ଚାଷ ଏବଂ ମୂଲ ଲାଗି ସେ ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କ ୧୮ ବର୍ଷର ବଡ ଝିଅ ବିଏସସି କରୁଥିବା ବେଳେ ୧୬ ବର୍ଷର ମଝିଆ ଝିଅ ହାଇସ୍କୁଲ ପରୀକ୍ଷା ଦେଇଛନ୍ତି । ସାନ ଝିଅ ନବମ ଶ୍ରେଣୀରେ ପଢୁଥିବା ବେଳେ ୧୧ ବର୍ଷର ସାନ ପୁଅ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି ।

ପୁଷ୍ପା କାନପୁରର ଏକ ବିସ୍କୁଟ ଫ୍ୟାକ୍ଟିରେ ମାସିକ ୫ ହଜାର ଟଙ୍କା ଦରମାରେ କାମ କରୁଥିଲେ । ଆଉ ସେହିଥିରେ ପରିବାର ପ୍ରତିପୋଷଣ ହେଉଥିଲା । ଯେବେଠାରୁ ମହେନ୍ଦ୍ରଙ୍କ ଦେହ ଅସୁସ୍ଥ ହୋଇଛି ସେବେଠାରି ସେ ଚାକିରୀ ଛାଡି ଘରେ ରହୁଛନ୍ତି ।
ଏବେ ପୁଷ୍ପା ନିଜ ପିଲାମାନଙ୍କୁ ପାଠପଢା ବନ୍ଦ କରିବାକୁ କହୁଛନ୍ତି । ପିଲାମାନଙ୍କର ପାଠପଢିବାକୁ ଇଚ୍ଛା ରହିଥିବା ବେଳେ ଏବେ ଅର୍ଥ ସାଜିଛି ବାଧକ । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଚିକିତ୍ସା ପାଇଁ ଟଙ୍କା ଯୋଗାଇ ଦିଆଯାଉଛି ।