ବିଧାନସଭା ଦେଖିଲା ପିସି କାରବାରର ସତ । କିପରି ସରକାରୀ ବାବୁ ବାଲି ମାଫିଆଙ୍କଠାରୁ ପିସି ନେଉଛନ୍ତି, ତାର ଏକ ଭିଡିଓ ଦେଖାଇଲେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ

35

କନକ ବ୍ୟୁରୋ: ପିସି କାରବାର ଅଭିଯୋଗକୁ ଅନେକ ସମୟରେ ଅସ୍ୱୀକାର କରିଥାନ୍ତି ସରକାର । ହେଲେ ଆଜି ବିଧାନସଭା ଦେଖିଥିଲା ପିସି କାରବାରର ସତ । ବିଜେପି ବିଧାୟକ ପ୍ରଦୀପ ପୁରୋହିତ ବିଧାନସଭାରେ ପିସି କାରବାରର ଏକ ଭିଡିଓ ଦେଖାଇଛନ୍ତି । ପାଇକମାଳର ତହସିଲଦାର କିପରି ବାଲି ମାଫିଆଙ୍କଠାରୁ ଲାଂଚ ନେଉଛନ୍ତି, ତା’ର ଟିକିନିକି ଦୃଶ୍ୟ କଏଦ ହୋଇଥିିଲା କ୍ୟାମେରରେ । ତେବେ ଅଭିଯୋଗ ସତ ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।

 

ବିଧାନସଭା ଦେଖିଲା ପିସି କାରବାରର ସତ । କିପରି ସରକାରୀ ବାବୁ ବାଲି ମାଫିଆଙ୍କଠାରୁ ପିସି ନଉଛନ୍ତି, ଏହାର ଏକ ସଦ୍ୟ ଚିତ୍ର ଦେଖିଛି ବିଧାନସଭା । ଏ ହେଉଛନ୍ତି ପାଇକମାଳର ତହସିଲଦାର ଜାନକୀନାଥ ମିଶ୍ର । ବାଲି ମାଫିଆଙ୍କ ଠାରୁ ସେ କିପରି ଲାଂଚ ନେଉଥିଲେ ତାର ପୂରା ଚିତ୍ର ଏବେ ସାମନାକୁ ଆସିଛି । ଯେଉଁଥିରେ ମାଫିଆଙ୍କ ଠାରୁ ନଗଦ ଟଙ୍କା ଗଣି ନେଉଛନ୍ତି ଏହି ସରକାରୀ ବାବୁ ଜଣକ ।

ଏହି ଭିଡିଓକୁ ବିଧାନସଭା ଆଗରେ ରଖିଛନ୍ତି ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ । ଲାଂଚ ନେଉଥିବାର କେବଳ ଏହି ଘଟଣା ସାମନାକୁ ଆସିନାହିଁ । ବରଂ ଭଲ ବ୍ୟବସାୟ ସମୟରେ ମୋଟା ଆକାରର ଲାଂଚ ଦାବି କରୁଥିବାର ମଧ୍ୟ ଭିଡିଓଟିରେ କୁହାଯାଇଛି । ତେବେ ଅଭିଯୋଗ ଅନୁସାରେ ଅଙ୍ଗ ନଦୀରୁ ବେଆଇନ ବାଲି ଚୋରାଚାଲଣ କରି ପଡ଼ୋଶୀ ଛତିଶଗଡ଼କୁ ଚାଲଣ କରୁଛନ୍ତି ଏହି ମାଫିଆମାନେ । ଆଉ ଲାଂଚ ନେଇ ସବୁପ୍ରକାର ସହାୟତା ଯୋଗାଇ ଦେଇ ଆସୁଛନ୍ତି ସରକାରୀ ବାବୁ ।

ଅଭିଯୋଗ ଅନୁସାରେ, ଗୋଟିଏ ଟ୍ରକ ପିଛା ତହସିଲଦାରଙ୍କ ଭାଗରେ ପଡୁଛି ୩୦୦ ଟଙ୍କା । ଦିନକୁ ବେଆଇନ ଭାବେ ପ୍ରାୟ ୪୦୦ ଟ୍ରକ ଯାଉଥିବାରୁ ଗୋଟିଏ ଦିନରେ ଲାଂଚ ବାବଦରେ ଲକ୍ଷାଧିକ ଟଙ୍କା ଯାଇଥାଏ ସରକାରୀ ବାବୁଙ୍କ ପକେଟକୁ ଆଉ ବର୍ଷ ବର୍ଷ ଧରି ହେଉଥିବା ଏହି କାରବାରରୁ ମାଲା ମାଲ ହୋଇଥାନ୍ତି ସରକାରୀ କର୍ମଚାରୀ ।