କନକ ବ୍ୟୁରୋ : ଖୋର୍ଦ୍ଧାଗଡରେ ପାଇକ ସ୍ମାରକୀ ସ୍ୱପ୍ନ ସାକାର ହେବ । ଡବଲ ଇଂଜିନି ସରକାରରେ ପାଇକ ଗଡର ପୁନଃରୁଦ୍ଧାର ହେବ । ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଏହି ଆଶା ସଂଚାର ହୋଇଛି । ପୂର୍ବରୁ ହୋଇଥିବା ଯୋଜନା ସଫଳ ହେବ ବୋଲି ଅନୁମାନ କରାଯାଉଛି । ପାଇକ୍ ସ୍ମାରକୀ ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଅନୁଦାନ ଦେଇଥିଲେ । ରାଜ୍ୟ ସରକାରଙ୍କୁ ୫୦ ଏକର ଜମି ମଗା ଯାଇଥିଲା । ତେବେ ବରୁଣେଇ ଠାରେ ୧୦ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୁଭ ଦେଇଥିଲେ । ସଂପୂର୍ଣ୍ଣ ଜମି ମିଳିନଥିବାରୁ କାମ ଅଧାରେ ଅଟକି ଯାଇଛି ।

Advertisment

ରାଜ୍ୟ ଓ ଦେଶରେ ଗୋଟିଏ ସରକାର । ଡବଲ ଇଂଜିନି ସରକାରରେ ଖୋର୍ଦ୍ଧାଗଡ଼ରେ ଅଟକି ଥିବା କାମ ଶୀଘ୍ର ହେବ ବୋଲି ଆଶାବାନ୍ଧି ବସିଛନ୍ତି ବୁଦ୍ଧିଜୀବୀ ଏବଂ ପାଇକ ସଂଗଠନର କର୍ମକର୍ତ୍ତା । ଖୋର୍ଦ୍ଧାର ସାମଗ୍ରୀକ ବିକାଶ ସହ ପାଇକ ସ୍ମାରକୀକୁ ରାଜ୍ୟ ସରକାର ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ   ।

ତେବେ ଖୋର୍ଦ୍ଧାର ଅସ୍ମିତା ପାଇକ ସଂଗ୍ରାମର ପ୍ରତୀକ ବରୁଣେଇ କରୁଣେଇର ବିକାଶ, ଖୋର୍ଦ୍ଧାଗଡ଼ର ବିକାଶ ସହ ସ୍ମାରକୀ ନିର୍ମାଣ ଦିଗରେ ରାଜ୍ୟ ସରକାର କେବେ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ହିଁ ଅପେକ୍ଷା ।