ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, ପ୍ରତିଶ୍ରୁତି ରଖୁନି ହାଉସିଂବୋର୍ଡ: ଡୁମୁଡୁମା ଫେଜ୍-୭ରେ ଟଙ୍କା ଦେଇଥିଲେ ବି ଏପର୍ଯ୍ୟନ୍ତ ମିଳୁନାହିଁ ଘର 

204

କନକ ବ୍ୟୁରୋ: ଯେତେବେଳେ କୌଣସି ବିଲଡର, ଲୋକଙ୍କୁ ଠକିଥାଏ, ସେତେବେଳେ ସରକାରଙ୍କ ଆଗରେ ଗୁହାରି କରିଥାନ୍ତି ଲୋକ । ଆଉ ଯେତେବେଳେ ସରକାରୀ ସଂସ୍ଥା ଠକିଦେବ, ସେତେବେଳେ କାହାକୁ ଗୁହାରି କରିବେ ବୁଝି ପାରୁନାହାନ୍ତି ଭୁବନେଶ୍ୱର ଡୁମୁଡୁମା ଫେଜ୍ – ୭ ର ହିତାଧିକାରୀ । ଲିଖିତ ପ୍ରତିଶ୍ରୁତି ଦେଇ ପୁଣିଥରେ ହିତାଧିକାରୀଙ୍କୁ ନିରାଶ କରିଛି ହାଇସିଂବୋର୍ଡ । ଜାନୁଆରୀ ୩୧ ସୁଦ୍ଧା ଘର ଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଫେବ୍ରୁଆରୀ ସରିବାକୁ ବସିଲାଣି ଆରମ୍ଭ ହୋଇନି ପ୍ରକ୍ରିିୟା । ଶୁଣନ୍ତୁ ଘର ଦେବା ପାଇଁ କ’ଣ କହିଥିଲେ ହାଉସିଂବୋର୍ଡ ଅଧ୍ୟକ୍ଷ ।

ପ୍ରକଳ୍ପ ଶେଷ ହୋଇ ୨୦୧୯ ସୁଦ୍ଧା ଘର ଘର ଦିଆଯିବ ବୋଲି ପ୍ରଥମେ କୁହାଯାଇଥିଲା । ପରେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛି ହାଉସିଂବୋର୍ଡ । ଗତ ଡିସେମ୍ବର ମାସ ଏହାର ପ୍ରତିବାଦରେ ଧାରଣାରେ ବସିଥିଲେ ହିତାଧିକାରୀ । ଅସନ୍ତୋଷ ତେଜିବାରୁ ନିଜେ ହାଉସିଂବୋର୍ଡ ଅଧ୍ୟକ୍ଷ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବି ତାହା ପାଣିର ଗାର ସଦୃଶ୍ୟ ହୋଇଛି । ଏହାର ପ୍ରତିବାଦରେ ପୁଣି ଧାରଣାରେ ବସିଥିଲେ ହିତାଧିକାରୀ ।

ତୁରନ୍ତ ଘର ଦେବାକୁ ଦାବି କରି ହାଉସିଂବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରିଥିଲେ ଡ଼ୁମୁଡ଼ୁମା ଫେଜ ୭ ର ହିତାଧିକାରି । ବହୁ ସମୟ ଧରି ଧାରଣାରେ ବସିଥିଲେ ବି କିଛି ଲାଭ ହୋଇନଥିଲା । ହିତାଧିକାରୀମାନେ ସମସ୍ତ କିସ୍ତି ପୈଠ କରିସାରିଥିଲେ ବି ସ୍କିମ ଅନୁସାରେ ହାଉସିଂବୋର୍ଡ଼ କାମ ସାରିନାହିଁ । ଅଭିଯୋଗ ଶୁଣାଣି ଦିନ ବି ହାଉସିଂବୋର୍ଡ ଅଧ୍ୟକ୍ଷ କିମ୍ବା ଚିଫ୍ ଇଂଜିନିୟରଙ୍କ ଦେଖା ମିଳିନଥିଲା ।

ବ୍ୟାଙ୍କରୁ ରୁଣ ଆଣି ଘର କିଣିଥିବା ଲୋକ, ଏବେ ବ୍ୟାଙ୍କକୁ ସୁଧ ଗଣୁଛନ୍ତି । ଏପଟେ ଭୁବନେଶ୍ୱରରରେ ଘରଭଡ଼ା ନେଇ ରହୁଛନ୍ତି । ଆର୍ଥିକ ଚାପରେ ଅନେକଙ୍କ ଅବସ୍ଥା ଶୋଚନୀୟ ହୋଇଗଲାଣି । ସରକାରୀ ସଂସ୍ଥା ଏପରି ପରିସ୍ଥିତି ସୃଷ୍ଟି କରିବ ବୋଲି କେହି କେବେ ଭାବିନଥିଲେ । ଶୀଘ୍ର ଘର ହସ୍ତାନ୍ତର ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ହିତାଧିକାରୀ ।