କନକ ବ୍ୟୁରୋ : ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାହାଲ ଦେବାକୁ ପଡ଼ିବ । ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ନରେନ୍ଦ୍ରରେ ସଂକଳ୍ପ କରିବା ଆଦି ଉପରେ ଦେୟ ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ ଏହି ସ୍ଥାନରୁ କରୋନା ପରେ ମାହାଲ ଆଦାୟ ବନ୍ଦ କରିଦେଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡ଼ିକୁ ଟେଣ୍ଡର କରି ମାହାଲ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଏସଓପି ତିଆରି କରିବ ।

Advertisment

ପୂର୍ବରୁ କୋଭିଡ୍‌ ଓ ଅନ୍ୟାନ୍ୟ କାରଣରୁ ଶ୍ରୀମନ୍ଦିରର ମାହାଲ ସବୁ ଶୁଳ୍କମୁକ୍ତ କରାଯାଇଥିଲା । ଏବେ ପୁଣିଥରେ ଶୁଳ୍କ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି। ନରେନ୍ଦ୍ର ସଂକଳ୍ପ, ଲୁଣ-ପତ୍ର ମାହାଲ, ରୋଷଦର୍ଶନୀ ମାହାଲ, ରୋହିଣୀ କୁଣ୍ଡ, କୋଇଲି ବୈକୁଣ୍ଠ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ବାବାଦକୁ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଟେଣ୍ଡର୍‌ କରାଯିବ। ଟେଣ୍ଡର୍‌ରେ ସ୍ବତନ୍ତ୍ର ଏସ୍‌ଓପି ରହିବ। ଶୋଷଣମୁକ୍ତ ପରିବେଶ ପାଇଁ ଏହି ଏସ୍‌ଓପି ଲାଗୁ ହେବ। ଶ୍ରୀମନ୍ଦିରରେ କାମ କରୁଥିବା ସ୍ଥାୟୀ କର୍ମଚାରୀମାନେ ଆଗରୁ ଚିକିତ୍ସା ଭତ୍ତା ଓ ଔଷଧ ବାବଦକୁ ଖର୍ଚ୍ଚ ପାଉଥିଲେ । ଚିକିତ୍ସା ଭତ୍ତା ବାବଦକୁ ଦରମାର ୦.୬୫ ପ୍ରତିଶତ ଟଙ୍କା କର୍ମଚାରୀମାନେ ପାଉଥିଲେ ।

ଯେହେତୁ ସମସ୍ତ କର୍ମଚାରୀ ବୀମାଭୁକ୍ତ ହୋଇସାରିଛନ୍ତି, ଚିକିତ୍ସା ଭତ୍ତା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଔଷଧ ଖର୍ଚ୍ଚ ବାବଦକୁ କର୍ମଚାରୀମାନେ ବାର୍ଷିକ ୧୨ହଜାର ଟଙ୍କା ପାଇବେ। ଏଥିସହ ଯେଉଁମାନେ ୨୪ଘଣ୍ଟାରୁ ଅଧିକ ସମୟ ଡାକ୍ତରଖାନାରେ ଚିକିତ୍ସିତ ହେବେ, ସ୍ବାସ୍ଥ୍ୟବୀମାରୁ ସେମାନଙ୍କ ଖର୍ଚ୍ଚ ବହନ କରାଯିବ । ବଜେଟ୍‌ ଉପରେ ବି ଆଲୋଚନା ହୋଇଥିଲା । ଯେଉଁ ଯେଉଁ କ୍ଷେତ୍ରରେ ଯାହା ବ୍ୟୟ ଧାର୍ଯ୍ୟ ହୋଇଥିଲା, ତାହା ୮୦ ଖର୍ଚ୍ଚ ହୋଇସାରିଛି। ସେହି ଅନୁସାରେ ଆୟ ବି ବଢ଼ିଛି। କେବଳ ୟୁନିଫର୍ମ ପଲିସିରେ ସମସ୍ୟା ରହିଥିବାରୁ ମହାପ୍ରଭୁଙ୍କ ଜମିଜମା ବିକ୍ରିରୁ ଯେଉଁ ଆୟ ଲକ୍ଷ୍ୟ ରଖାଯାଇଥିଲା, ତାହା ପୂରଣ ହୋଇପାରିନି ।