ଭାବ ବିନୋଦିଆର ପହଣ୍ଡି ଆରମ୍ଭ : ଅପରୂପ ଶୋଭାର ସମ୍ଭାର…ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହେଉଛନ୍ତି ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ଶ୍ରୀଜଗନ୍ନାଥ

125

କନକ ବ୍ୟୁରୋ : ଆରମ୍ଭ ହେଲା ଭାବ ବିନୋଦିଆର ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ କରାଯାଇଛି । ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରଥାରୂଢ଼ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଝୁଲିଝୁଲି ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରୁଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଧାଡି ପହଣ୍ଡିରେ ବାହାରିଥିଲେ ।

ସବା ଶେଷରେ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହୋଇଛନ୍ତି । ତେବେ ଭାବବିନୋଦିଆ କାଳିଆ ସାଆନ୍ତ ଯେତେବେଳେ ରଥାରୁଢ ପାଇଁ ଗୁଣ୍ଡିଚାଘରୁ ବାହାରି ଆସିଥିଲା ଏହି ଅଲୌକିକ ମୁହୂର୍ତ୍ତରେ ସତେ ଯେମିତି ଲାଗୁଥିଲା କାଳିଆଠାକୁରର ସେଇ ଦୁଇ ଚକା ଆଖି ଭକ୍ତଙ୍କୁ ଖୋଜୁଛି । କାରଣ କରୋନା କଟକଣା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବନ୍ଦ ହୋଇନଥିଲା ସତ ହେଲେ ଭକ୍ତଙ୍କୁ କିନ୍ତୁ ମହାପ୍ରଭୁଙ୍କ ଏହି ଅଲୌକିକ ଯାତ୍ରାରେ ସାମିଲ ହେବାକୁ ବାରଣ କରାଯାଇଛି । ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ବଡଦାଣ୍ଡରେ ଗଡିବ ସତ ହେଲେ ବିନା ଭକ୍ତରେ । ତେବେ ସେ ଯାହା ହେଉନା କାହିଁକି, ମହାପ୍ରଭୁଙ୍କ ଏହି ଅପୂର୍ବ ଶୋଭାସମ୍ଭାରକୁ ଭକ୍ତମାନେ ଘରେ ବସି ଦେଖିବା ସହ ଦୂରୁ ଥାଇ କାଳିଆର ଅପରୂପ ଦର୍ଶନ କରିଛନ୍ତି ।