କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧରେ ଏକ ବଡ ପଦଯାତ୍ରାର ପ୍ରସ୍ତୁତି ଚାଲିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶରଧାବାଲିରୁ ସିଂହଦ୍ୱାର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପଦଯାତ୍ରାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପରୋକ୍ଷ ସମର୍ଥନରେ ଏହି ଶୋଭାଯାତ୍ରା ଆୟୋଜିତ ହେଉଥିବା କୁହାଯାଉଛି । ଏପଟେ ହାଇକୋର୍ଟରେ ଏଏସଆଇ ତଥ୍ୟ ନଦେଇ ସମୟ ମାଗିବା ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗର୍ଜିବେ ପାଇକ । ଶୋଭାଯାତ୍ରା କରି ଦେବେ ପ୍ରତିବାଦ ସନ୍ଦେଶ । ଏହାରି ଭିତରେ ଆସନ୍ତା ୨୭ରେ ଖନନ ଓ ନିର୍ମାଣ କାମକୁ ବିରୋଧ କରି ପୁରୀରେ ହେବ ବିଶାଳ ଶୋଭାଯାତ୍ରା । ବିଭିନ୍ନ ଅନୁଷ୍ଠାନର ମିଳିତ ସହଯୋଗରେ ଶରଧାବାଲିରୁ ସିଂହଦ୍ୱାର ଯାଏଁ ହେବାକୁ ଥିବା ପଦଯାତ୍ରା ପଛରେ କିନ୍ତୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପରୋକ୍ଷ ସମର୍ଥନ ଥିବା କୁହାଯାଉଛି ।
ପୁରୀ ପଦଯାତ୍ରାରେ ସାମିଲ ହେବେ ମହାପ୍ରଭୁଙ୍କୁ ଯୁଗେ ଯୁଗେ ସୁରକ୍ଷା ପ୍ରଦାନ କରିଆସିିଥିବା ପାଇକ । ଦଳମତ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ନିଜେ ମଧ୍ୟ ୫ ହଜାର ଲୋକଙ୍କୁ ନେଇ ପଦଯାତ୍ରାରେ ଯିବେ ବୋଲି କହିଛନ୍ତି ।
ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାରେ ଏଏସଆଇ ତଥ୍ୟ ଦାଖଲ କରିବାକୁ ଅଧିକ ସମୟ ମାଗିବା ଏବେ ସନ୍ଦେହ ସୃଷ୍ଟି କରିଛି । ଗୋଟିଏ ପଟେ ଚାଲିଥିବା କାର୍ଯ୍ୟ ବେଆଇନ ଦର୍ଶାଇ ଏଏସଆଇର ଆଂଚଳିକ କାର୍ଯ୍ୟାଳୟ ଏହାକୁ ତୁରନ୍ତ ବନ୍ଦ କରିବାକୁ ଚିଠି ଲେଖୁଥିବା ବେଳେ ହାଇକୋର୍ଟରେ ତଥ୍ୟ ଦାଖଲ ନକରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଦ୍ୱନ୍ଦ ବଢାଇଛି । ଐତିହ୍ୟ କରିଡରକୁ ଏଏସଆଇ ଡିଜି କ୍ଲିନ ଚିଟ୍ ଦେବା ପରେ ମାମଲା କୋର୍ଟରେ ବିଚାରାଧୀନ ଥିବା କହି ଏଡିଜି ପ୍ରଶ୍ନକୁ ଆଡେଇ ଯିବା ଏବେ ପ୍ରତ୍ନତତ୍ୱ ବିଭାଗର ଫାଟକୁ ପଦାରେ ପକାଇଛି ।
ସମସ୍ତ ବାଦ ବିବାଦ ସତ୍ୱେ, ଆସନ୍ତା ମେ’ ୧୬ ତାରିଖରେ ହାଇକୋର୍ଟରେ ପରବର୍ତୀ ଶୁଣାଣି ଥିବା ବେଳେ ଏଏସଆଇ ତାର ରିପୋର୍ଟରେ କଣ ତଥ୍ୟ ଦେଉଛି ତାହା ଉପରେ ନଜର ରହିବ । ପାଖାପାଖି ମାସେ ସମୟ ଥିବାରୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ରୂପରେଖ କଣ ଥିବ ଓ କୋର୍ଟ କଣ ନିଷ୍ପତି ଶୁଣାଉଛନ୍ତି ତାହା ଐତିହ୍ୟ କରିଡରର ଭାଗ୍ୟ ନିର୍ଦ୍ଧାରଣ କରିବ ।