ପରିଣତ ବୟସରେ ବଢିଲା ପୁଅ-ଝିଅଙ୍କ ପେଟକୁ ଦାନା ଦେଇ ପାରୁନାହାନ୍ତି ରାୟଗଡାର ପଦ୍ମିନୀ କୁମ୍ଭାର । ଗୁହାରି ଶୁଣି ଆର୍ଥିକ ସହାୟତା ଦେଲେ ଜିଲ୍ଲାପାଳ 

53

କନକ ବ୍ୟୁରୋ: ଆମେ ଅନ୍ଧ ଲୋକ ଆଜ୍ଞା  । ବହୁତ ଅସୁବିଧାରେ ଅଛୁ ଆଜ୍ଞା  । କୌଣସି ସାହାଯ୍ୟ ମିଳିନାହିଁ ଆଜ୍ଞା  । ଆମକୁ ସାହାଯ୍ୟ କର   । ଆମ ମାଆ ଆଉ ଆଗଭଳି କାମ କରି ପାରୁନି, ଆମେ ବଞ୍ଚିବୁ କେମିତି ଆଜ୍ଞା ବୋଲି ସବୁଆଡୁ ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୩ ଦିବ୍ୟାଙ୍ଗ ଭାଇଭଉଣୀ ।

୩ ବଢିଲା ପିଲାଙ୍କୁ ଧରି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମା’ । ଜନଶୁଣାଣି ଶିବିରରେ ଜିଲ୍ଲାର ବଡବାବୁ ଗୁହାରି ଶୁଣିବେ, ଦୀର୍ଘ ଦିନର ଦୁଃଖ ଦୂର ହେବ । ସେଇ ଆଶା ନେଇ ଗାଁରୁ ଧାଇଁ ଆସିଛନ୍ତି ଜଣେ ମାଆ । ୩ ଦିବ୍ୟାଙ୍ଗ ପିଲାଙ୍କ ସ୍ଥାୟିତ୍ୱକୁ ନେଇ ଚିନ୍ତାରେ ପଡିଛନ୍ତି ରାୟଗଡାର ପଦ୍ମିନୀ କୁମ୍ଭାର । ସ୍ୱାମୀଙ୍କ ମୃତ୍ୟୁ ପରେ କୁଲି ମଜୁରି କରି ୩ ପିଲାଙ୍କ ପେଟରେ ଦାନା ଦେଉଛନ୍ତି ପଦ୍ମିନୀ । ହେଲେ ଏବେ ଆଉ ତାହା କରିବା ସମ୍ଭବ ହେଉନାହିଁ । ତେଣୁ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛନ୍ତି ।

ପଦ୍ମିନୀଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ୩୫ ବର୍ଷୀୟ ବଡ ଝିଅ ହେମଲତା, ୩୩ ବର୍ଷୀୟ ପୁଅ ରାମୁଲ ଓ ସାନ ଝିଅ ୩୦ ବର୍ଷୀୟ ସମ୍ଭାରୀ । ୩ ଜଣ ଯାକ ଦିବ୍ୟାଙ୍ଗ । ପିଲାମାନଙ୍କ ଚକ୍ଷୁ ଚିକିତ୍ସା କରାଇ ଦେବା ସହ କିଛି ଆର୍ଥିକ ସହଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଅଭିଯୋଗ ଶୁଣିବା ପରେ ଜଣଙ୍କ ପିଛା ୧୫ ହଜାର ଟଙ୍କା ଲେଖାଏଁ ଦେବା ସହ ବ୍ଲକ ସ୍ତରୀୟ ଅଧିକାରୀ ପଦ୍ମିନୀଙ୍କ ଘରକୁ ଯାଇ ତଦନ୍ତ କରି ଆବଶ୍ୟକତା ଅନୁସାରେ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପଦ୍ମିନୀଙ୍କ ପରିବାରକୁ ବର୍ତମାନ ମଧ୍ୟ ସରକାରୀ ସହାୟତା ମିଳୁଛି । ହେଲେ ସାହା ସମୁଦ୍ରକୁ ସଂଖେ । ମାଆ ଓ ପୁଅ ଝିଅଙ୍କ ଭତା ଟଙ୍କା ସହ ମୁଣ୍ଡ ପିଛା ୫ କେଜିର ଚାଉଳ ମିଳୁଛି । ତାହା ଯଥେଷ୍ଟ ହେଉନଥିବାରୁ ଦିନେ ଦିନେ ଉପବାସ ରହିବାକୁ ପଡେ ବୋଲି ଜଣେ ମା’ ଦୁଃଖର ସହ  କହିଛନ୍ତି ।