ପରଲୋକରେ ପଦ୍ମଶ୍ରୀ ରଜତ କର । ୮୮ ବର୍ଷ ବୟସରେ ହୃତଘାତରେ ଦେହାନ୍ତ । ଶିକ୍ଷା ଓ ସାହିତ୍ୟ ପାଇଁ ମିଳିଥିଲେ ପଦ୍ମଶ୍ରୀ

397

କନକ ବ୍ୟୁରୋ : ପରଲୋକରେ ପଦ୍ମଶ୍ରୀ ରଜତ କର । ବିଶିଷ୍ଟ ସାହିତ୍ୟକ ରଜତ କରଙ୍କର ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ଶିକ୍ଷା ଓ ସାହିତ୍ୟରେ ଅତୁଳୀନୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭାଷ୍ୟକାର ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ହୃତଘାତରେ ପରଲୋକ ନେଇ ରଜତ କରଙ୍କ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରଜତ କୁମାର କରଙ୍କ  ଜନ୍ମ ୧୯୩୪ ମସିହା ଅକ୍ଟୋବର ୨ ତାରିଖରେ ହୋଇଥିଲା । ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ସେ ବେଶ ପରିଚତ ଥିଲେ ।  ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି । ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ଖାଲି ସେତିକି ନୁହେଁ, ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି ।