ପଦ୍ମଶ୍ରୀଙ୍କୁ ଆର୍ଥିକ ସହାୟତା ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ପଦ୍ମଶ୍ରୀ ହଳଧର ନାଗ।

892

କନକ ବ୍ୟୁରୋ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରତିଭାମାନଙ୍କୁ ଆର୍ଥିକ ସହାୟତା ନେଇ କାଲି ରାଜ୍ୟ ସରକାର ବଡ ଘୋଷଣା କରିବା ପରେ ଆଜି ଧନ୍ୟବାଦ ଦେଇଛନ୍ତି କୋଶଳ କବି ପଦ୍ମଶ୍ରୀ ହଳଧର ନାଗ । ଅଭାବ ଅନଟନ ଆଉ ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ । ସରକାରଙ୍କ ଏହି ସହାୟତା ପରେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ପଦ୍ମଶ୍ରୀ ବିଜେତାମାନେ ଆରାମରେ ରହି ପାରିବେ ବୋଲି ସେ କହିଛନ୍ତି ।


ତେବେ କେନ୍ଦ୍ର ସରକାର ପ୍ରତିଭାମାନଙ୍କୁ ଡାକି ଖାଲି ପୁରସ୍କାର, ମାନପତ୍ର ସହ ଯିବା ଆସିବା ଖର୍ଚ୍ଚ ଦେଉଛନ୍ତି । ହେଲେ ପୁରସ୍କାର ପାଇ ଆସିଲା ପରେ ପୁରସ୍କାର ପ୍ରାପ୍ତ ପ୍ରତିଭାମାନେ କେମିତି ରହୁଛନ୍ତି ? କେମିତି ଚଳୁଛନ୍ତି ? ସେମାନେ କଣ କରୁଛନ୍ତି ? ସେମାନେ କେମିତି ଜୀବନ ବିତାଉଛନ୍ତି? ତାହା ଦେଖୁନାହାନ୍ତି କେନ୍ଦ୍ର ସରକାର । ଯେଉଁଥି ପାଇଁ ଅନେକ ପଦ୍ମଶ୍ରୀ ବିଜେତାମାନେ ହଇରାଣ ହରକତରେ ଜୀବନ ଜିଉଁଛନ୍ତି । ମାତ୍ର ରାଜ୍ୟ ସରକାର ସେମାନଙ୍କ ଦୁଃଖ ଓ କଷ୍ଟର କାହାଣୀ ଜାଣିବା ପରେ ନେଇଥିବା ଏଭଳି ନିଷ୍ପତ୍ତିକୁ ହଳଧର ସ୍ୱାଗତ କରିଛନ୍ତି । ଏହା ସହ କନକ ନ୍ୟୁଜକୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ପଦ୍ମଶ୍ରୀଙ୍କ ଏ ଦୟନୀୟ ଅବସ୍ଥା କଥା ପ୍ରଥମେ ଦେଖାଇଥିଲା କନକ ନ୍ୟୁଜ ।

ତେବେ ଗତକାଲି ରାଜ୍ୟ ସରକାର ପଦ୍ମଶ୍ରୀଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ । ଆର୍ଥିକ ଅନଟନରେ ଥିବା ପଦ୍ମଶ୍ରୀଙ୍କୁ ସହାୟତା ନେଇ ସଂସ୍କୃତି ବିଭାଗର ପ୍ରସ୍ତାବ ଉପରେ କାଲି ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ । ପଦ୍ମଶ୍ରୀ ପାଇ ବି ଅଭାବରେ ରହୁଥିବାରୁ ଅସନ୍ତୋଷ ବ୍ୟକ୍ତ କରି କିଛି ଦିନ ତଳେ ପଦ୍ମଶ୍ରୀ ଫେରାଇ ଦେବାକୁ ବସିଥିଲେ ଜଳ ମଣିିଷ ଦୈତାରୀ ନାୟକ । ତେବେ ଦୈତାରୀଙ୍କ ଦୁଃଖର କାହାଣୀ କନକ ନ୍ୟୁଜ ଦେଖାଇବା ପରେ ଆଉ ବିଭିନ୍ନ ଗଣମାଧ୍ୟମ ଉକ୍ତ ପ୍ରସଙ୍ଗ ଉପରେ ଖବର ପରିବେଷଣ କରିବା ପରେ କାଲି ସହାୟତା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଉ ଏହି ଘୋଷଣା ପରେ ଦାରିଦ୍ର‌୍ୟତାରେ କାଳ କାଟୁଥିବା ପଦ୍ମଶ୍ରୀମାନେ ଯଥା ଦୈତାରୀ ନାୟକ, କମଳା ପୂଜାରୀ, ହଳଧର ନାୟକଙ୍କ ସହ ଜିତେନ୍ଦ୍ର ହରିପାଲ ମଧ୍ୟ ଉପକୃତ ହେବେ ।