କନକ ବ୍ୟୁରୋ : ହୀରାକୁଦ ନଦୀବନ୍ଧ ଯୋଜନା କାହାପାଇଁ ବରଦାନ ତ କାହାପାଇଁ ଅଭିଶାପ ସାବ୍ୟସ୍ତ ହୋଇଛି। ନିଜର ପରିଚୟ ହରାଇଛନ୍ତି। ଏମିତିକି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିବା ଅନେକ ସମୃଦ୍ଧ ଗାଁ ବି ଏବେ ବିସ୍ଥାପିତ ହୋଇ ପରିଚୟ ହରାଇ ସାରିଛନ୍ତି। ଏଭଳି ଏକ ଗାଁ ହେଲା ପଦ୍ମପୁର। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭୀଖମପୁର ପଞ୍ଚାୟତରେ ଥିବା ଏହି ଗାଁ ବିସ୍ଥାପନର ୬୪ ବର୍ଷ ପରେ ବି ନିଜ ହକ୍ ଓ ନାମ ପାଇବାରୁ ବଞ୍ଚିତ ହୋଇ ରହିଛି। ଭିଟାମାଟି ଛାଡ଼ି ସର୍ବହରା ସାଜିଥିବା ଏହି ଗାଁ ଲୋକେ ଅଭିଶପ୍ତ ଜୀବନ କାଟୁଛନ୍ତି। ପଦ୍ମପୁରରୁ ପୂଜାରୀପାଲି ପାଲଟି ଯାଇଥିବା ଏହି ଗାଁକୁ ପୁଣି ତାର ପରିଚୟ ଫେରାଇ ଦେଇ ଏକ ରାଜସ୍ବ ଗାଁର ମାନ୍ୟତା ଦେବାକୁ ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ବିଜୁବାବୁଙ୍କ ଏହି ଅଧୁରା ସ୍ବପ୍ନ କେବେ ପୂରଣ ହେବ ବୋଲି ଗ୍ରାମବାସୀ ଚାତକ ପରି ଚାହିଁ ବସିଛନ୍ତି।
୧୯୩୬ ମସିହା ପୂର୍ବରୁ ଏହି ଗାଁ ମଧ୍ୟପ୍ରଦେଶ ରାଜ୍ୟ ଅନ୍ତର୍ଗତ ବିଳାସପୁର ଜିଲ୍ଲାରେ ଥିଲା। ଏହି ଅଞ୍ଚଳରେ ହିନ୍ଦୀ ଶିକ୍ଷା ପ୍ରଚଳନ ଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଏହା ଓଡ଼ିଶାରେ ମିଶିଲା। ଗାଁରେ ପ୍ରଥମ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଶିକ୍ଷା ପ୍ରାରମ୍ଭ କରାଗଲା। ସେତେବେଳେ ଏହି ଗାଁଟି ଅଞ୍ଚଳର ବ୍ୟବସାୟ ପେଣ୍ଠସ୍ଥଳ ଥିଲା। ମହାନଦୀ ଓ ସାନ କେଲୋ ନଦୀର ମିଳନ ସ୍ଥଳରେ ଏକ ସୁନ୍ଦର ପରିବେଶରେ ଥିବା ଏହି ଗାଁର ଉର୍ବର ଚାଷ ଜମିରେ ସୁନାର ଫସଲ ଫଳୁଥିଲା। ଗାଁରେ ପୋଷ୍ଟ ଅଫିସ, ଥାନା ଓ ପ୍ରାଥମିକ ସ୍କୁଲ ଥିଲା। ପ୍ରତିଦିନ ଗାଁରେ ପରିବା ବଜାର ସହିତ ସାପ୍ତାହିକ ହାଟ ମଧ୍ୟ ବସୁଥିଲା। ଆଖପାଖ ଅଞ୍ଚଳର ଚାଷୀ ଏଠାରେ ପନିପରିବା ବିକ୍ରି କରି ଭଲ ଦି ପଇସା ରୋଜଗାର କରୁଥଲେ। ପଦ୍ମପୁରରୁ ଏସବୁ ଅନ୍ୟ ସ୍ଥାନକୁ ପଠାଯାଉଥିଲା। ଗାଁରେ ବ୍ରାହ୍ମଣଙ୍କ ସହିତ କୁଷ୍ଟା, ଭୁଲିଆ, କେଉଁଟ ଆଦି ଜାତିର ଲୋକ ବସବାସ କରୁଥିଲେ। ବିଶେଷ କରି କୁଷ୍ଟା ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କୋଷା ଶାଢ଼ିର ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ନାଁ ଥିଲା। ଗାଁ ମଝିରେ ଥିଲା ଶତାଧିକ ବର୍ଷର ବହୁ ପୁରାତନ ଇଷ୍ଟଦେବୀ ପଦ୍ମାସେନୀଙ୍କ ଅପୂର୍ବ ମନ୍ଦିର। ଦେବୀଙ୍କ ନା ଅନୁସାରେ ପଦ୍ମପୁର ନାଁ ପାଇଥିଲା ଏହି ଗାଁଟି। ତାଛଡ଼ା ଏକ ପୁରାତନ ଜଗନ୍ନାଥ ମନ୍ଦିର, ସମଲେଶ୍ବରୀ ମନ୍ଦିର ଗାଁର ପ୍ରତିଷ୍ଠାକୁ ଦ୍ୱିଗୁଣିତ କରୁଥିଲା। ଗାଁରେ ଗ୍ରାମବାସୀଙ୍କ ଦ୍ୱାରା ଶବରୀ ଲୀଳା, ରାମାୟଣ ଭଳି ପୌରାଣିକ କାହାଣୀ ଉପରେ ଲୋକନାଟକ ନିୟମିତ ମଞ୍ଚସ୍ଥ ହେଉଥିଲା।