ପଦ୍ମପୁର ପଲିଟିକ୍ସ: ନାମାଙ୍କନକୁ ନେଇ ଛକାପଞ୍ଝା, ଶେଷ ଦିନକୁ ସମସ୍ତ ପ୍ରାର୍ଥୀଙ୍କ ଅପେକ୍ଷା  ।

160

କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ୧୭ତାରିଖ ପଦ୍ମପୁର ଉପନିବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାଁନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଂଛା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ କରିଛି ।

ପଦ୍ମପୁର ମୈଦାନରେ ତିନି ଦଳର ପ୍ରାର୍ଥୀ

ବର୍ଷା ସିଂ ବରିହା, ବିଜେଡି ପ୍ରାର୍ଥୀ

ପ୍ରଦୀପ ପୁରୋହିତ, ବିଜେପି ପ୍ରାର୍ଥୀ

ସତ୍ୟଭୂଷଣ ସାହୁ, କଂଗ୍ରେସ ପ୍ରାର୍ଥୀ   

ପଦ୍ମପୁର ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନାହାଁନ୍ତି । ଆସନ୍ତାକାଲି ଅର୍ଥାତ ୧୭ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ କାଲି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଉଛି ।  ସୂଚନା ଅନୁସାରେ ପ୍ରାୟ ୧୧ଜଣ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଫର୍ମ ନେଇଛନ୍ତି । କିନ୍ତୁ ଚାଷୀଙ୍କୁ ବୀମା ରାଶି ପ୍ରଦାନ ଓ ପଦ୍ମପୁରକୁ ଜିଲ୍ଲା ଦାବିକୁ ନେଇ ଆନ୍ଦୋଳନ ଚାଲିଥିବାରୁ କେହି ନାମାଙ୍କନ ଦାଖଲ କରିନଥିବା ଚର୍ଚ୍ଚା ହେଉଛି ।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୬ତାରିଖ ଅର୍ଥାତ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ପୂର୍ବରୁ କୁହାଯାଉଥିଲା । ହେଲେ, ସେ ଆଜି ବି ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତିି । କିନ୍ତୁ ଦଳୀୟ ନେତାଙ୍କ ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରିଛନ୍ତି । ମନ୍ତ୍ରୀ ନବ ଦାସ, ତାଙ୍କ ଝିଅ ଦୀପାଳି ଦାସ, ବିଧାୟକ ପ୍ରତାପ ଜେନା ବର୍ଷାଙ୍କ ପାଇଁ ପ୍ରଚାର କରିଛନ୍ତି ।  .. ସୋମବାର ବିଜେପି ପ୍ରାର୍ଥୀ ପ୍ରଦୀପ ଦଳ ବଳ ଧରି ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଯାଇଥିଲେ ବି ଚାଷୀ ଆନ୍ଦୋଳନକୁ ସମ୍ମାନ ଜଣାଇ ଫେରି ଆସିଥିଲେ । ତାପରେ ଗତ ଦୁଇ ଦିନ ପ୍ରଚାର କରୁଥିଲେ ବି ନାମାଙ୍କନ କରି ନାହାଁନ୍ତି । .. ଏପରିକି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ସ୍ୱାଧୀନ ପ୍ରାର୍ଥୀମାନେ ବି ନାମାଙ୍କନ ଦାଖଲ କରିନାହାଁନ୍ତିି । କିନ୍ତୁ ଆସନ୍ତାକାଲି ଶେଷ ଦିନ ହୋଇଥିବାରୁ ସମସ୍ତ ପ୍ରାର୍ଥୀ ନାମାନଙ୍କନ ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ କିଏ ଆଗ ନାମାଙ୍କନ ଦାଖଲ କରିବ ତାକୁ ନେଇ ଛକାପଂଝା ସ୍ଥିତିି ଲାଗି ରହିଛି । ଏସବୁ ଭିତରେ ରାଜନୈତିକ ଦଳର ନେତାଙ୍କ ଭିତରେ ଜାରି ରହିଛି ପଦ୍ମପୁର ଜିତିବା ନେଇ ଦମ୍ଭୋକ୍ତି ।

ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ଆସନ୍ତାକାଲି, ପଦ୍ମପୁରରେ ହାଇଭୋଲଟେଜ ରାଜନୈତିକ ରାଲି ଦେଖିବାକୁ ମିଳିବାର ସମ୍ଭାବନା ରହିଛି । ସବୁ ପ୍ରାର୍ଥୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଦାଖଲ କରିବେ ବୋଲି ଆଲୋଚନା ହେଉଛି ।