ପଦ୍ମପୁର ପଲିଟିକ୍ସ : ବିଜେପି ପରିବାରର ବୋହୁକୁ ମିଳିଲା ବିଜେଡି ଟିକେଟ୍ । କାହାକୁ ସମର୍ଥନ କରିବେ ରମା?

616

କନକ ବ୍ୟୁରୋ: ପଦ୍ମପୁର ପଲିଟିକ୍ସରେ ଦେଖିବାକୁ ରାଜନୀତିର ରୋଚକ ଦୃଶ୍ୟ । ବିଜେପି ପରିବାରର ବୋହୁକୁ ମିଳିଛି ବିଜେଡି ଟିକେଟ୍ । ତେବେ ଅନେକ ଚର୍ଚ୍ଚା ଆଲୋଚନା ଭିତରେ ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ ବିଜେଡି । ଦିବଙ୍ଗତ ବିଧାୟକ ତଥା ପଦ୍ମପୁରର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ଏବଂ ବିଜେପି ନେତା ରମାରଞ୍ଜନ ବଳିୟାରସିଂହଙ୍କ ବୋହୁକୁ ଟିକେଟ୍ ଦେଇଛି ଶାସକ ଦଳ । ଆଉ ଏହି ଟିକେଟ୍ ଘୋଷଣା ସହ ଏଥିସହ ପଦ୍ମପୁର ଉପ ନିର୍ବାଚନ ରମା ରଞ୍ଜନ ବଳିୟାରସିଂହଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ସେ କାହାକୁ ସମର୍ଥନ କରିବେ । କାହା ପାଇଁ ଲଢିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଗୋଟିଏ ପଟେ ତାଙ୍କ ଦଳ ଥିବାବେଳେ, ଅନ୍ୟପଟେ ରହିଛନ୍ତି ନିଜର ବୋହୁ ତଥା ବିଜେଡି ପ୍ରାର୍ଥୀ ।

ତେବେ ବୋହୁକୁ ବିଜେଡି ଟିକେଟ୍ ମିଳିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ରଖିଥିଲେ ବିଜେପି ନେତା ରମାରଞ୍ଜନ ବଳିୟାରସିଂହ । ସେ କହିଥିଲେ, ସେ ହେଉଛନ୍ତି ଦଳର ଜଣେ ଶୃଙ୍ଖଳିତ କର୍ମୀ । ତେଣୁ ଦଳ ଆଗ, ନା ବୋହୁ ଆଗ ଭଳି ପ୍ରଶ୍ନର କୌଣସି ଆବଶ୍ୟକତା ନାହିଁ । ହେଲେ ସେ କାହାକୁ ସମର୍ଥନ ଜଣାଇବେ ତାର ଉତ୍ତର କିନ୍ତୁ ରଖିନଥିଲେ । ଯାହା ପଦ୍ମପୁର ଉପ ନିର୍ବାଚନକୁ ଆହୁରି ରୋଚକ କରିଦେଇଛି ।

ଏପଟେ ବିଜେଡି ଟିକେଟ୍ ମିଳିବା ପରେ ବର୍ଷା ସିଂ ବରିହା ମଧ୍ୟ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, “ଉଭୟ ବାପଘର ଓ ଶ୍ୱଶୁର ଘର ଲୋକଙ୍କ ସହ ଆଲୋଚନା କରି ମୁଁ ନିର୍ବାଚନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛି । ବିଜେଡି ଟିକେଟ୍ ମିଳିବା ପରେ ଦୁଇ ପରିବାର ଖୁସି ଅଛନ୍ତି ।” ତେଣୁ ବର୍ଷାଙ୍କୁ ଟିକେଟ୍ ମିଳିବା ପରେ ରମା ରଞ୍ଜନ ଖୁସି ଥିବା ଜଣାପଡିଛି । ହେଲେ ସେ କାହାକୁ ସମର୍ଥନ ଜଣାଇବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ ଯେ, ରମା ରଞ୍ଜନ ବଳିୟାରସିଂହ ହେଉଛନ୍ତି ପୂର୍ବତନ ବିଜେଡି ନେତା । ସେ ସତ୍ୟବାଦୀର ବିଧାୟକ ରହିସାରିଛନ୍ତି । ହେଲେ କିଛି ବର୍ଷ ତଳେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଉ ଏବେ ତାଙ୍କ ବୋହୁ ବର୍ଷା ବରିହାଙ୍କୁ ଶାସକ ଦଳ ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।