ପଦ୍ମପୁର ମଡେଲ୍ ବନାମ ଧାମନଗର ମଡେଲ। କିଏ ଲଢ଼ିବେ କେଉଁ ଷ୍ଟାଇଲରେ?

ପଦ୍ମପୁର ମଡେଲ୍ ବନାମ ଧାମନଗର ମଡେଲ। କିଏ ଲଢ଼ିବେ କେଉଁ ଷ୍ଟାଇଲରେ?

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ ୨୦୨୪ ବିଜୟର ସ୍ୱପ୍ନ ଦେଖୁଛନ୍ତି ଉଭୟ ବିଜେଡି ଓ ବିଜେପି । ୨୦୨୪ରେ କେମିତି ବିଜୟୀ ହେବେ ଓ ସରକାର ଗଢ଼ିବେ ସେ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଡାକି ପଦ୍ମପୁର ଷ୍ଟାଇଲରେ ନିର୍ବାଚନ ଲଢ଼ିବାକୁ ଟିପ୍ସ ଦେବା ପରେ, ଜବାବ ରଖିଛନ୍ତିି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ତାଙ୍କର ପଦ୍ମପୁର ମଡେଲ ଥିବାବେଳେ ବିଜେପିର ଧାମନଗର ମଡେଲ ଅଛି । ଦୁଇ ଉପନିର୍ବାଚନରୁ ଭାରତୀୟ ଜନତା ପାର୍ଟି ଅନେକ ଶିକ୍ଷା କରିଛି । ଓଡି଼ଶା ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ବିଜେପି ।

ମଡେଲକୁ ନେଇ ଧର୍ମେନ୍ଦ୍ରଙ୍କ ବୟାନ ପରେ ପାଲଟା ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ପକ୍ଷରୁ କୁହାଯାଇଛି, ଉପନିର୍ବାଚନ କେବେ ହେଲେ ରାଜନୈତିକ ମଡେଲ ହୋଇପାରେନା । ସାଢ଼େ ୪କୋଟି ଓଡି଼ଆଙ୍କୁ ବିଜୁ ଜନତା ଦଳ ସରକାର ଯେଉଁଭଳି ସେବା ଯୋଗାଇ ଦେଉଛି ତାହା ହେଉଛି ମଡେଲ । ଲୋକମାନେ ବି ବିଜେଡି ଓ ବିଜେଡିର ଭଲ କାମକୁ ବିଶ୍ୱାସ କରନ୍ତି ।

ଅନ୍ୟପଟେ ବିଜେଡିର ପଦ୍ମପୁର ମଡେଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହା କେଉଁ ପ୍ରକାର ମଡେଲ ବୋଲି ପ୍ରଶ୍ନ କରିଛନ୍ତି । ହାରିଯାଇଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପଦ୍ମପୁର ମଡେଲକୁ ନେଇ ପ୍ରଶ୍ନ କରିଛନ୍ତି । ବିଜେଡିର ପଦ୍ମପୁର ମଡେଲକୁ ଏକ ଦୁର୍ନୀତିଗ୍ରସ୍ତ ମଡେଲ ବୋଲି କହିଛନ୍ତି । ବିଜେପି ନେତାଙ୍କ ଅଭିଯୋଗ ପରେ ବିଜେଡି ବିଧାୟକ କହିଛନ୍ତି, ନବୀନ ଲୋକଙ୍କ ହୃଦୟରେ ରହିଛନ୍ତି । ତାକୁ ଆଧାର କରି ନିର୍ବାଚନ ଲଢ଼ିବ ବିଜୁ ଜନତା ଦଳ । ତେବେ ବରିଷ୍ଠ ନେତା ଦାମ ରାଉତ କହିଛନ୍ତି, ବିଜେପି ଆଉ କଂଗ୍ରେସରେ ବିକଳ୍ପର ଅଭାବରୁ ଲୋକେ ବିଜେଡିକୁ ଅଧିକ ଭୋଟ ଦେବେ ।

ବିଜେଡି କୌଣସି ମଡେଲ ଉପରେ ଭରଷା କରେନା ବୋଲି ଦଳୀୟ ନେତାମାନେ ଏବେ କହୁଛନ୍ତି । କିନ୍ତୁ ଦିନକ ପୂର୍ବରୁ ଯେତେବେଳେ ପଦ୍ମପୁର ଫଳାଫଳକୁୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ, ସେତେବେଳେ ପଦାକୁ ଆସି କହିଥିଲେ ପଦ୍ମପୁରରେ ଯେଉଁ ରଣନୀତି ଆପଣାଇଥିଲା ଦଳ, ସେଇ ସମାନ ରଣନୀତି ନେଇ ଆଗକୁ ବଢ଼ିବାକୁ ସୁପ୍ରିମୋ ଆହ୍ୱାନ ଦେଇଛନ୍ତି । ଧାମନଗରରେ ଯେଉଁ ଦୁର୍ବଳତା ଥିଲା ତାକୁ ଅତିକ୍ରମ କରି ଦଳୀୟ ନେତାଙ୍କୁ ଏକାଠି ହୋଇ ଲଢ଼ିବାକୁ କହିଛନ୍ତି ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe