ଭୋଟ୍ ଦେଉଛି ପଦ୍ମପୁର । ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ।

70

କନକ ବ୍ୟୁରୋ: ଭୋଟ ଦେଉଛନ୍ତି ପଦ୍ମପୁରବାସୀ । ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଛି । ତେବେ କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଚାରଟି ବ୍ୟାଲେଟ ୟୁନିଟ୍, ତିନୋଟି କଂଟ୍ରୋଲ ୟୁନିଟ, ଆଠଟି ଭିଭିପାଟ ବଦଳ କରାଯାଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ ଗ୍ରହଣ ପ୍ରକ୍ରିୟା । ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକରେ ଲାଗିଛି ଭିଡ । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଅପରାହ୍ନ୍ଣ ୪ଟା ଯାଏଁ ଏହି ଭୋଟ ଗ୍ରହଣ ଚାଲିବ । ମତଦାନ କେନ୍ଦ୍ର ଗୁଡିକରେ ଭିଡ ବଢିବାରେ ଲାଗିଛି । ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି । ସେଥିମଧ୍ୟରୁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ଏହି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ଦୃଷ୍ଟି ବାଧିତଙ୍କ ପାଇଁ ସ୍ୱତନ୍ତ୍ର ବ୍ରେଲି ବାଲଟ୍ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବୁଥ୍ ପାଇଁ ୪ଜଣ ଲେଖାଏଁ ପୋଲିଂ ଅଧିକାରୀ ରହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ ୯ କମ୍ପାନୀ ସିଆରପିଏଫ ଫୋର୍ସ ମୃତୟନ ହୋଇଛନ୍ତି । ଉଜେତନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ ।