ପଦ୍ମପୁର: ଜିଲ୍ଲା ନମ୍ବର ୩୧! ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ

2,531

କନକ ବ୍ୟୁରୋ: ରାଜ୍ୟର ୩୧ତମ ଜିଲ୍ଲା ଭାବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛିା ଜିଲ୍ଲାପାଳଙ୍କ ଅଫିସ ପାଇଁ ସ୍ଥାନ ନିରୂପଣ କରିଛନ୍ତି ଆରଡିସି । ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୃତି ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ରିପୋର୍ଟ ପଠାଯିବ । ଏହାପରେ ଅନ୍ୟ ସ୍ଥାନରେ ବି ନୂଆ ଜିଲ୍ଲା ଗଠନ ପାଇଁ ସ୍ୱର ତୀବ୍ର ହୋଇଛି । ଆଉ ରାଜନୀତି ବି ଆରମ୍ଭ ହୋଇଛି ।

ରାଜ୍ୟର ୩୧ ନମ୍ବର ଜିଲ୍ଲା ଗଠନ ପାଇଁ ପଦ୍ମପୁରରେ ପ୍ରକ୍ରିଆ ଆରମ୍ଭ ହୋଇଛି । ନୂଆ ଜିଲ୍ଳାର, ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୁପଣ କରିଛନ୍ତି ଉତରାଂଚଳ ଆରଡିସି । ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ପଦ୍ମପୁର ନିକଟସ୍ଥ ଚିରୋଲି, ଅନ୍ୱେଶା ହଷ୍ଟେଲ ପଡିଆ ଏବଂ ବରିକେଲର କିଛି ସ୍ଥାନ ନିରୂପଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି ।

ଗତବର୍ଷ ଡିସେମ୍ବର ୨ ତାରିଖରେ ପଦ୍ମପୁର ମାଟିରେ ଛିଡା ହୋଇ, ମୁଖ୍ୟମନ୍ତ୍ରୀ ନୂଆ ଜିଲ୍ଲା ଗଠନର ପ୍ରତିଶ୍ରୁତି ଦେଇଥିଲେ । ପଦ୍ମପୁରବାସୀଙ୍କୁ, କହିଥିଲେ ଗୋଟିଏ ବର୍ଷ ଅର୍ଥାତ ୨୦୨୩ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ
ପଦ୍ମପୁରକୁ ଜିଲ୍ଳା ମାନ୍ୟତା ଘୋଷଣା, ଏବେ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି । କାରଣ ଜିଲ୍ଲା ଦାବି ସ୍ୱର ଦକ୍ଷିଣରୁ ଉତର, ପୂର୍ବରୁ ପଶ୍ଚିମ ସବୁଆଡେ ତେଜିଲାଣି । ବଲାଙ୍ଗୀର କଂଟାବାଞ୍ଜିକୁ ନୂଆ ଜିଲ୍ଲା ମାନ୍ୟତା ଦାବି ନେଇ ପ୍ରତିବାଦ ପୁଣି ତେଜିଛି ।

ବିଧାନସଭାର ଏକ ପ୍ରଶ୍ନଉତୋରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଜିଲ୍ଲା ମାନ୍ୟତା ପାଇଁ ଅନେକ ଦାବି ସରକାରଙ୍କ ପାଖରେ ପହଂଚିଛି । ନଜର ପକାନ୍ତୁ କେଉଁ କେଉଁ ସ୍ଥାନରେ ଏହ ଦାବି ଉଠୁଛି ।
ଜିଲ୍ଲା ଦାବି ଅପେକ୍ଷାରେ ଧର୍ମଗଡ, ରାଇରଙ୍ଗପୁର, ରାଉରକେଲା, ଟିଟିଲାଗଡ, ତାଳଚେର, ଘୁମସୁର, ଆନନ୍ଦପୁର, ନୀଳଗିରି, ଗୁଣୁପୁର, ଚଣ୍ଡିଖୋଲ, କୁଚିଣ୍ଡା, ବଣାଇ ଭଳି ଉପଖଣ୍ଡ ଗୁଡିକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ଜୋର ଧରିଛି ।

ଏପଟେ ଜିଲ୍ଲା ମାନ୍ୟତାକୁ ନେଇ ତେଜିଛି ରାଜନୀତି । ରାଜ୍ୟ ସରକାର, କେବଳ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପ୍ରତିଶ୍ରୁତି ରଖନ୍ତି ନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଯାହାର ଜବାବ ରଖିଛି ବିଜେଡ଼ି ।

୧୯୯୩ରେ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ବଢ଼ି ୩୦ରେ ପହଂଚିଥିଲା । ସରକାର ଚାହିଁଲେ ଏବେ ବି ନୂଆ ଜିଲ୍ଲା ପାଇଁ ନାଁ ଘୋଷଣା କରିପାରିବେ । ଏଥିପାଇଁ କେବଳ କ୍ୟାବିନେଟ୍ ଡକାଇ ମୋହର ମାରିପାରିବାକୁ ପଡ଼ିବ ।