ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳାଫଳ। ଦିନକ ପୂର୍ବରୁ ଦମ୍ଭୋକ୍ତି ଦେଖାଇଲେ ବିଜେଡି ନେତା କହିଲେ, ଜିତିବେ ପଦ୍ମପୁର।

ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳାଫଳ। ଦିନକ ପୂର୍ବରୁ ଦମ୍ଭୋକ୍ତି ଦେଖାଇଲେ ବିଜେଡି ନେତା କହିଲେ, ଜିତିବେ ପଦ୍ମପୁର।

କନକ ବ୍ୟୁରୋ: ପଦ୍ମପୁରରେ କିଏ ମାରିବ ବାଜି? ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ? ଏହି ପ୍ରଶ୍ନର ଉତ୍ତର ପାଇବାକୁ ସମସ୍ତଙ୍କୁ ଆଉ କିଛି ଘଣ୍ଟା ଅପେକ୍ଷା କରିବାକୁ ପଡିବ । କାରଣ କାଲି ଇଭିଏମ ଖୋଲିବା ସହ ସକାଳ ୮ଟା ୩୦ରୁ ଆରମ୍ଭ ହେବ ଭୋଟ ଗଣତି । ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି । ଆଉ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ପଦ୍ମପୁରବାସୀ କାହାକୁ ବାଛିଛନ୍ତି? ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କାହା ସପକ୍ଷରେ ଜନାଦେଶ ଦେଇଛନ୍ତି ପଦ୍ମପୁର ଭୋଟର? କାରଣ ଫଳାଫଳ ଆସିବା ପୂର୍ବରୁ ହାତ ଟେକି ଦେଇଛି କଂଗ୍ରେସ ।

ପଦ୍ମପୁର ଉପନିର୍ବାଚନର ଫଳାଫଳ ଉପରେ ସାରାରାଜ୍ୟର ନଜର ଥିବାବେଳେ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ବିଜେଡି ନେତା । ଫଳାଫଳକୁ ନେଇ ବିଜେଡିର ୫୦ରୁ ଅଧିକ ନେତା ନବୀନ ନିବାସରେ ମାନସମନ୍ଥନ କରିବା ସହ ସୁପ୍ରିମୋଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ମୁଖିଆଙ୍କ ସହ ଆଲୋଚନା ପରେ ଦଳୀୟ ନେତାମାନେ ବାହାରକୁ ଆସି ଭିକ୍ଟ୍ରି ସିମ୍ବଲ ଦେଖାଇବା ସହ କହିଛନ୍ତି, ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ । ତିନି ବ୍ଲକ ପଦ୍ମପୁର, ପାଇକମାଳ, ଝାରବନ୍ଧ ଓ ଏନଏସିରେ ଦଳ ଅଧିକ ଭୋଟ ପାଇବ । ୨୦୧୯ ନିର୍ବାଚନ ତୁଳନାରେ ବିଜୟ ବ୍ୟବଧାନ ଅଧିକ ରହିବ ।

ବିଜେପି ମଧ୍ୟ ପଦ୍ମପୁରରେ ବିଜୟ ସୁନିଶ୍ଚିତ ବୋଲି ଦାବି କରିଛି । ବିଜେପି କହିଛି, ଧାମନଗର ଉପନିର୍ବାଚନର ସଫଳତାକୁ ପଦ୍ମପୁରରେ ଦୋହରାଇବ । ତେବେ ବିଜେଡିର ମାନସ ମନ୍ଥନ ନେଇ ମୋହନ ମାଝୀ କହିଛନ୍ତି, ଗ୍ରାଉଣ୍ଡ ଜିରୋରେ ଭୋଟର ମାନଙ୍କ ସହ ବିଜେଡିର ନେତାମାନେ ଯେଉଁଭଳି ଭାବେ ସମସ୍ୟାର ସମ୍ମୁଖୀନ ହେଲେ ତାହା କେଉଁଠି ନା କେଉଁଠି ସନ୍ଦେହ ସୃଷ୍ଟି କରିଛି । ନବୀନ ବାବୁ କୌଣସି ବି ନିର୍ବାଚନରେ ନଗଲେ ଦଳ ଜିତିବାର ଯେଉଁ ଆସ୍ଫାଳନ ଥିଲା ସେ ଗର୍ବ ଫାଟିଯାଇଛି ।

ଯାହା ବି ହେଉ ପଦ୍ମପୁର ଉପନିର୍ବାଚନରେ ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଛି । ହାଇପ୍ରୋଫାଇଲ ପ୍ରଚାର ଲଢେଇ, ଭୋଟରଙ୍କୁ ଲୋଭନୀୟ ପ୍ରତିଶ୍ରୁତି, ନେତାଙ୍କ ବୟନାବାଜି, ବିଜୟ ନେଇ ଦମ୍ଭୋକ୍ତି ଭିତରେ ଭୋଟ ଗ୍ରହଣ ସରିଛି, ଆଉ ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ତେବେ କିଏ ଜିତିବ ଆଗୁଆ ଆକଳନ କରିବା ମୁସ୍କିଲ୍ । କାରଣ ଯଦିଓ ପଦ୍ମପୁରରେ ବିଜେଡିର ପଲ୍ଲା ଭାରି ରହିଛି, ତଥାପି ବିଜେପିର ଆକ୍ରମଣାତ୍ମକ ପ୍ରଚାର ଶୈଳୀ, ଦଳକୁ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି । ତେବେ କେତେ ଭୋଟ ହାତେଇବ କଂଗ୍ରେସ ତା ଉପରେ ରହିବ ସମସ୍ତଙ୍କ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe