ସରଗରମ୍ ପଦ୍ମପୁର ରାଜନୀତି  । ଦିବଂଗତ ବିଧାୟକଙ୍କ ପରିବାରରୁ ଜଣଙ୍କୁ ଟିକେଟ୍ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସମର୍ଥକ

122

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେଇସାରିିଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କକଷା ଜାରି ରହିଛି । ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ଦିବଂଗତ ବିଧାୟକଙ୍କ ପରିବାରରୁ ଜଣଙ୍କୁ ଟିକେଟ୍ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସମର୍ଥକ ।

ବର୍ଷା ବରିହା ଦିବଙ୍ଗତ ବିଧାୟକ ବିଜୟରଂଜନ ବରିହାଙ୍କ ବଡଝିଅ । ଚର୍ଚ୍ଚା ହେଉଛି ବିଜେଡି ମଧ୍ୟ ବର୍ଷା ବରିହାଙ୍କ ନାଁରେ ମୋହର ମାରି ସାରିଛି । ଦିନେ ଦୁଇଦିନ ଭିତରେ ଦଳ ଅନୁଷ୍ଠାନିକ ଭାବେ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ସୂଚନା ମିଳୁଛି । ବିଜୟରଂଜନ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଉପିନର୍ବାଚନ ହେଉଛି । ତେଣୁ ବରିହା ପରିବାରର ଜଣକୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଥିଲା । ଏହାଦ୍ୱାରା ସମବେଦନା ଭୋଟ ଓ ବିଜୟରଂଜନ ବରିହାଙ୍କ ପକେଟ ଭୋଟ ବିଜେଡି ଖାତକୁ ଆସିବ ଓ ବିଜୟ ସହଜ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଆଉ ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ ଦେବାକୁ ନୂଆ ରଣନୀତି କରିଛି ।

ଅନ୍ୟପଟେ ଧାମନଗର ଉପନିର୍ବାଚନ ବିଜୟ ହେବା ପରେ ପଦ୍ମପୁରରେ ବିଜୟଧାରାକୁ ବଜାୟ ରଖିବା ପାଇଁ ବିଜେପି ଲକ୍ଷ୍ୟ ରଖିଛି । ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ସୂଚନା ରହିଛି ଆସନ୍ତା ୧୪ ତାରିଖରେ ସେ ନାମାଙ୍କନ କରିବେ । ସେପଟେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବା ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ । ତେବେ ଦଳର ପୁରୁଣା ଚେହେରା ସତ୍ୟ ଭୂଷଣ ସାହୁଙ୍କ ଉପରେ ପୁଣି ଥରେ କଂଗ୍ରେସ ଭରଷା କରିପାରେ ବୋଲି ଚର୍ଚ୍ଚା ହେଉଛି ।