ରାତି ପାହିଲେ ବାହାରିବ ‘ପଦ୍ମପୁର’ ଫଳାଫଳ । ନେତାଙ୍କ ଛାତି ଧଡଧଡ୍…

339

କନକ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ଆଉ କେଇ ଘଣ୍ଟାର ପ୍ରତୀକ୍ଷା । ରାତି ପାହିବ, ରେଜଲ୍ଟ ବାହାରିବ । ପଦ୍ମପୁର ପାଇଁ ଫଳାଫଳ ପ୍ରକାଶ ପାଇବ । ଏତେ ଦିନର ପରିଶ୍ରମ, ଏତେ ଦିନର ପ୍ରସ୍ତୁତି ପରେ କାଲି ପଦ୍ମପୁରବାସୀ ରାୟ ଦେବେ । ଜନଦେଶ କାହା ସପକ୍ଷରେ ଯାଇଛି କାଲି ହିଁ ସ୍ପଷ୍ଟ ହୋଇଯିବ । ବିଜେଡି ହାତରେ ପଦ୍ମପୁର ରହିବ ନା ପଦ୍ମପୁରରେ ପଦ୍ମ ଫୁଟିବ । ତାହା କାଲି ହିଁ ଜଣାପଡିଯିବ ।

ତେବେ ହାଇପ୍ରୋଫାଇଲ ପ୍ରଚାର ଲଢେଇ, ଭୋଟରଙ୍କୁ ଲୋଭନୀୟ ପ୍ରତିଶ୍ରୁତି, ନେତାଙ୍କ ବୟନାବାଜି, ବିଜୟ ନେଇ ଦମ୍ଭୋକ୍ତି ଭିତରେ ଭୋଟ ଗ୍ରହଣ ସରିଛି, ଆଉ ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ପଦ୍ମପୁର ଉପନିର୍ବାଚନରେ କିଏ ମାରିବ ବାଜି? ଏହି ପ୍ରଶ୍ନର ଉତ୍ତର ପାଇବାକୁ କାଲି ଯାଏଁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିବ । ଆସନ୍ତାକାଲି ଇଭିଏମ ଖୋଲିବା ପରେ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ପଦ୍ମପୁର ଜନାଦେଶ କାହାକୁ ମିଳିଛି ।

ବିଜେଡି ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ହେବ ଏବଂ ଉଭୟ ଦଳ ବିଜୟୀ ନେଇ ଆଶାବାଦୀ ଅଛନ୍ତି । ଗୋଟିଏ ପଟେ ବିଜେଡି ବିଜୟୀ ହେବ ବୋଲି ଦୃଢତାର ସହ କହୁଛି । ୨୦୧୯ ନିର୍ବାଚନ ତୁଳନାରେ ବିଜୟ ବ୍ୟବଧାନ ଅଧିକ ରହିବ ବୋଲି ଦାବି କରିଛି ବିଜୁ ଜନତା ଦଳ । ଅନ୍ୟପଟେ ବିଜେପି ମଧ୍ୟ ନିଜ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛି । ଧାମନଗର ଉପନିର୍ବାଚନର ସଫଳତାକୁ ପଦ୍ମପୁରରେ ଦୋହରାଇବ ବୋଲି ବିଜେପି କହିଛି ।