ମୂର୍ତ୍ତି କାରିଗରରୁ ଆନ୍ତର୍ଜାତୀୟ ଫିଲ୍ମ ହିରୋ । ହଲିଉଡ଼ ଫିଲ୍ମରେ ନାୟକ ସାଜିଲେ ବରଗଡ଼ର ଜଗନ୍ନାଥ, ଆଦିବାସୀଙ୍କ ଜୀବନ ଦର୍ଶନକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ।

442

କନକ ବ୍ୟୁରୋ : ମୂର୍ତ୍ତି କାରିଗରରୁ ଆନ୍ତର୍ଜାତୀୟ ଫିଲ୍ମ ହିରୋ । ଆସାମର ଆଦିବାସୀ ମଣିଷଙ୍କ ଜୀବନଚର୍ଯ୍ୟାକୁ ନେଇ ନିର୍ମିତ ଫିଲ୍ମ ସେମଖୋରରେ ନାୟକ ଭାବେ ଅଭିନୟ କରିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପକଣ୍ଠ ମହୁଲପାଲିର ଜଗନ୍ନାଥ ସେଠ । ଆସାମର ସେମଖାର ପାହାଡ ନାଁରେ ଫିଲ୍ମର ନାମ ରଖାଯାଇଥିବା ବେଳେ ଜଣେ ଆଦିବାସୀ ଯୁବକଙ୍କ ଚରିତ୍ରରେ ନଜର ଆସିଛନ୍ତି ଜଗନ୍ନାଥ । ସବୁଠାରୁ ବଡ କଥା ହେଉଛି, ଜଗନ୍ନାଥ ଏଠିକାର ଆଦିବାସୀଙ୍କ ଭାଷା ଶିଖିବା ସହ ଡବିଂରେ ନିଜ ଭଏସ ଦେଇଛନ୍ତି । ଚଳଚିତ୍ରରେ ଜଗନ୍ନାଥଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଆସାମର ସୁନାମ ଧନ୍ୟ ଅଭିନେତ୍ରୀ ଆଇମି ବରୁଆ ।

ସେମଖାର ପାହାଡରେ ରହୁଥିବା ଦିମାସା ଆଦିବାସୀଙ୍କ ଚାଲି ଚଳଣିକୁ ଫିଲ୍ମଟି ଗତିଶୀଳ । ଦିମାସା ଆଦିବାସୀଙ୍କ ଉପରେ ପ୍ରଥମ ଥର ପାଇଁ ଫିଲ୍ମ ତିଆରି ହୋଇଛି । ଆଧୁନିକ ଦୁନିଆଠୁ ସମ୍ପୂର୍ଣ୍ଣ ଭିନ୍ନ ଏମାନଙ୍କ ଜୀବନଚର୍ଯ୍ୟା । ସ୍ୱାଧିନତାର ୭୩ ବର୍ଷ ପରେ ବି ସେମାନେ ମୋବାଇଲ କ’ଣ ଜାଣିନାହାଁନ୍ତି । ପାଣିକୁ ଭଗବାନ ବୋଲି ମାନନ୍ତି । ପାହାଡି ମଣିଷଙ୍କ ଜୀବନ ଦର୍ଶନକୁ ନେଇ ଫିଲ୍ମ ପ୍ରସ୍ତୁତ କରିଛନ୍ତି ନିର୍ଦ୍ଦେଶକ ସମୀର ଶଶା ।

୨୦୧୦ ମସିହାରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ସ୍ନାତକ ଲାଭ କରିଥିବା ୩୪ ବର୍ଷୀୟ ଜଗନ୍ନାଥଙ୍କ ଥିଏଟରରେ ୨୩ ବର୍ଷର ଅଭିଜ୍ଞତା ରହିଛି । ସମୀର ଶଶାଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ ସେମଖୋରରେ ନାୟକ ହୋଇଛନ୍ତି ଜଗନ୍ନାଥ । ଆସାମ ରାଜ୍ୟର ସେମଖାର ପାହାଡ ନାମରେ ଆଦୀବାସୀ ମାନଙ୍କ ଜୀବନ ଶୈଳି ଉପରେ ଆଧାରିତ ଏହି ଫିଲ୍ମ ।