ଦଲାଲଙ୍କ ପରେ ଦୁର୍ନୀତିଗସ୍ତ ଅଧିକାରୀଙ୍କ ଉପରେ ନଜର। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କଡା କଥା। କହିଲେ, ଦଲାଲଙ୍କ ଜରିଆରେ ଧରା ହେବେ ଆରଟିଓ ଅଫିସର ଅଧିକାରୀ ଓ କର୍ମଚାରୀ

ଅଭ୍ୟାସଗତ ଲାଂଚୁଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

651

କନକ ବ୍ୟୁରୋ: ଦଲାଲଙ୍କ ପରେ ଦୁର୍ନୀତିଗସ୍ତ ଅଧିକାରୀଙ୍କ ଉପରେ ନଜର । ଦୁଇ ଦିନ ଧରି ବିଭିନ୍ନ ଆରଟିଓ ଅଫିସରେ ଏକାଧିକ ଦଲାଲଙ୍କୁ ଧରାଯିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କଡା କଥା କହିଛନ୍ତି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଦଲାଲଙ୍କ ଜରିଆରେ ଧରା ହେବେ ଆରଟିଓ ଅଫିସର ଅଧିକାରୀ ଓ କର୍ମଚାରୀ । ଅଭ୍ୟାସଗତ ଲାଂଚୁଆଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅନେକ ଦିନ ହେବ ପରିବହନ  ବିଭାଗର ବଦଳି ହୋଇନି । ଅକ୍ଟୋବର ସୁଦ୍ଧା ବଦଳି ହେବ । ବର୍ତ୍ତମାନ ଚାଳିଶ ପ୍ରତିଶତ ଆରଟିଓ ଇନ୍ ଚାର୍ଜ ଦାୟିତ୍ୱରେ ଅଛନ୍ତି । ତେବେ ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଗତକାଲି ଦିନ ତମାମ୍ ସାରା ରାଜ୍ୟରେ ହସ୍ପିଟାଲ ଓ ଆରଟିଓ ଅଫିସମାନଙ୍କ ତନାଘନା ଚଳାଇଥିଲା ପୁଲିସ । ଆଉ ପୁଲିସ ଟାର୍ଗେଟରେ ରହିଥିଲେ ଲୋକଙ୍କୁ ଠକୁଥିବା ଦଲାଲ । ଗୁରୁବାର ଠାରୁ ରାଜ୍ୟ ପୋଲିସ ଆରମ୍ଭ କରିଥିଲା ଏହି ଅପରେସନ । ଏହି କ୍ରମରେ ଗତକାଲି ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଆରଟିଓ ଅଫିସମାନଙ୍କରୁ ୭୫ ଜଣ ଦଲାଲଙ୍କୁ ଗିରଫ କରିଥିଲା ଓଡିଶା ପୁଲିସ । ଗୁରୁବାର କେବଳ ଡାକ୍ତରଖାନାରୁ ୩୦ ଜଣ ଦଲାଲ ଗିରଫ ହୋଇଥିଲେ ।