କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମର ବିଭିନ୍ନ ଏଗଜିଟ୍ ପୋଲରେ ଓଡ଼ିଶାରେ ଚଳିତଥର ଲୋକସଭା ଆସନରେ ବିଜେପି ଦମଦାର ପ୍ରଦର୍ଶନ କରିବା ନେଇ ଆକଳନ କରିଛି । ଅନେକ ଏଗଜିଟ୍ ପୋଲରେ ବିଜେପିକୁ ୧୫ରୁ ଅଧିକ ଆସନ ମିଳିବା ନେଇ ଆକଳନ କରାଯାଇଛି । ତେବେ ଏଭଳି ଆକଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପଦ୍ମନାଭ ବେହେରା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପଦ୍ମନାଭ କହିଛନ୍ତି, ଚଳିତଥର ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ଭଲ ପ୍ରଦର୍ଶନ କରିବ । ବିଧାନସଭାରେ ବହୁମତ ସହ ସରକାର ଗଢିବ ବିଜେଡି । ଏଗଜିଟ୍ ପୋଲ ଏକ ଆକଳନ, ଏହା ସବୁବେଳେ ସଠିକ୍ ହୁଏନି ।

ଏହାସହ ପଦ୍ମନାଭ କହିଛନ୍ତି, ଚଳିତଥର ନିର୍ବାଚନରେ କିଛି ମାତ୍ରାରେ ହିଂସାକାଣ୍ଡ ହୋଇଛି । କିନ୍ତୁ ଏହା କାହିଁକି ହେଲା ତାହାର ତଦନ୍ତ ଚାଲିଛି । ଗଣମାଧ୍ୟମରେ ନିର୍ବାଚନୀ ହିଂସାକାଣ୍ଡ ସମ୍ପର୍କିତ ଖବର ଦେଖିବାକୁ ମିଳୁଛି । ନିର୍ବାଚନ ସମୟରେ ଏମିତି କାଁ ଭାଁ ହୋଇଥାଏ ।

ଅନ୍ୟପଟେ ବିଜେପିର ସରକାର ଗଢିବା ଦମ୍ଭୋକ୍ତିକୁ କାଉଁଣ୍ଟର କରିଛନ୍ତି ପଦ୍ମନାଭ । ସେ କହିଛନ୍ତି, ବିଜେପିର ଅନେକ କେନ୍ଦ୍ରୀୟ ନେତା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଠାରେ ଆସି ପ୍ରଚାର କରିଥିଲେ ତେଣୁ ସେମାନେ ଏଭଳି କହିବେ । କିନ୍ତୁ ବିଜେଡି ମଧ୍ୟ ପ୍ରଚାରରେ ପଛରେ ନଥିଲା । ନିଜେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲି ପ୍ରଚାର କରିଥିଲେ । ଚଳିତ ନିର୍ବାଚନରେ ବିଜେପି ଯେହେତୁ ଚେଷ୍ଟା କରିଥିଲା ତେଣୁ ସେମାନେ ସରକାର ଗଢିବା ପାଇଁ କହିବେ । କିନ୍ତୁ ବାସ୍ତବ କଥା ହେଲଶ ଓଡ଼ିଶାରେ ବିଜେଡି ବହୁମତ ସହ ସରକାର ଗଢିବାକୁ ଯାଉଛି । ଏଥିରେ ସନ୍ଦେହ ନାହିଁ ଯେ ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ।