ପଦ୍ମନାଭ: ପୋଲସରାର ଗଛ ମଣିଷ । ସହରକୁ ସବୁଜ କରିବାକୁ ନିଜେ ଟଙ୍କା ଖର୍ଚ୍ଚ କରି ଲଗାଉଛନ୍ତି ଗଛ ।

83

କନକ ବ୍ୟୁରୋ: ସହର ହେବ ସବୁଜ ସିଟି, ଗଛ ଲାଗିବ ସବୁଠି । ସବୁଜ ବଳୟରେ ମଣିଷ ରହିବ, ମୁକ୍ତ ଅମ୍ଳଜାନ ଗ୍ରହଣ କରିବ । ମୁଁ ଥିବା ଯାଏଁ, ଲଗାଉଥିବି ଗଛ । ନେଉଥିବି ବୃକ୍ଷର ଦାୟିତ୍ୱ । ସହରକୁ ସବୁଜ ସୁନ୍ଦର କରିବାକୁ ସକଳ୍ପ ନେଇଛନ୍ତି ପଦ୍ମନାଭ । ଆଉ ସହରର କୋଣ ଅନୁକୋଣରେ ନିରନ୍ତର ଲଗାଇ ଚାଲିଛନ୍ତି ଗଛ । ନିଜେ ରୋଜଗାର କରୁଥିବା ଟଙ୍କାରୁ ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରି ବିନାସ୍ୱାର୍ଥରେ ବୃକ୍ଷରୋପଣ କରିଚାଲିଛନ୍ତି ପୋଲସରାର ପଦ୍ମନାଭ ପ୍ରଧାନ ।

୨୦୧୮ ମସିହାରେ ରାସ୍ତା ଡିଭାଇଡରରେ ଗଛ ଲଗାଇବା ଆରମ୍ଭ କରିଥିଲେ ପଦ୍ମନାଭ । ୩ରୁ ୪ ବର୍ଷ ଭିତରେ ୩ କିଲୋମିଟର ରାସ୍ତା କଡ ଓ ଡିଭାଇଡରରେ ପ୍ରାୟ ହଜାରେରୁ ଅଧିକ ଗଛ ଲଗାଇଲେଣି । ଦୀର୍ଘ ୧୫ ବର୍ଷ ହେବ ଗଛ ପ୍ରେମରେ ପଡିିଥିବା ଏ ନିଆରା ମଣିଷ, ବୃକ୍ଷରୋପଣକୁ ଏକ ସାମାଜିକ କର୍ତ୍ତବ୍ୟ ବୋଲି ଭାବିଛନ୍ତି । ନିଜେ ଗଛ ଚାରା ପକାଇବା ସହ ଉକ୍ତ ଚାରା ବଡ ହେବା ପରେ ବିଭିନ୍ନ ସ୍ଥାନରେ ଲଗାଉଛନ୍ତି ।

ଖାଲି ସେତିକି ନୁହେଁ ଗଛ ଲଗାଇଦେଇ କାମ ସାରି ଦିଅନ୍ତିନି ପଦ୍ମନାଭ । ବରଂ ଗଛ ବଡ ହେବା ଯାଏ ତାକୁ ପାଣି ଦେବା, ତାରବାଡ ଲଗାଇବା, ମୂଳରୁ ଘାସ ବାଛିବା ଆଦି ସବୁ କାମ ଏକାଏକା କରନ୍ତି ସେ । ସେଇଥି ପାଇଁ ତ ତାଙ୍କୁ ପୋଲସରା ଟ୍ରିମ୍ୟାନ ବୋଲି ଡାକୁଛନ୍ତି ସମସ୍ତେ ।

ତେବେ କେବଳ ପଦ୍ମନାଭ କାହିଁକି ବଦଳିଯାଇଥିବା ବିଶ୍ୱର ପରିବେଶ, ବିଗୁଡୁଥିବା ସ୍ଥିତିକୁ ସୁଧାରିବା ପାଇଁ । ଆଉ ପୁଣି ଥରେ ସୁନ୍ଦର ଏକ ପୃଥିବୀ ଗଢିତୋଳିବାକୁ ଆପଣ ବି ବୃକ୍ଷ ଲଗାନ୍ତୁ । ସମ୍ବାଦ ଡିଜିଟାଲର ପୁନଶ୍ଚ ପୃଥିବୀ ଅଭିଯାନରେ ସାମିଲ ହୁଅନ୍ତୁ । ନିଜ ପାଇଁ ନହେଲା ନାହିଁ ଅନ୍ତତ ଆଗାମୀ ପିଢି ପାଇଁ ସଚେତନ ରହିବା ।