କନକ ବ୍ୟୁରୋ : ବର୍ଷ ବର୍ଷ ଧରି ରାଜଧାନୀ ଛାତିରେ ଚାଲିଥିଲା ସୁଧ କାରବାର। ବାହୁବଳ ଦେଖାଇ ସୁଧିଆ ମାନେ ଜୋର ଜବରଦସ୍ତ ଜୁଲମ କରୁଥିଲେ ବି ସମସ୍ତେ ଥିଲେ ନିରବଦ୍ରଷ୍ଟା। ସିନେମା କାହାଣୀ ଭଳି ପଦ୍ମକେଶରୀପୁରରେ ମହାଜନ ମାନେ ସୁଧ ଆଦାୟ ବେଳେ, ରକ୍ତରେ ହୋଲି ଖେଳୁଥିବାର ଚିତ୍ର ସାମାନକୁ ଆସିଥିଲା। ସୁଧକାରବାରକୁ ନେଇ ସାହି-ସାହି ମୁହାଁମୁହିଁ, ହଣାକଟା, ବୋମା ମାଡ ଏପରିକି ଲେଡି ଡନଙ୍କ ଦୌରାମତ୍ମ୍ୟ ବି ସାମନାକୁ ଆସିଥିଲା। ହେଲେ ଏହି ଘଟଣାକୁ ସାମନକୁ ଆଣିବାକୁ ଗାଁ ଲୋକେ ସାହାସ ଜୁଟାଇ ପାରୁ ନଥିଲେ। ଏକ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ କନକନ୍ୟୁଜ ଗାଁ ଲୋକଙ୍କ ସହ ଛିଡା ହୋଇ ସ୍ୱର ଉତ୍ତୋଳନ କରିଥିଲା। ଘରେ ଘରେ ଲୁଚି ରହିଥିବା ସୁଧ କାରବାରର ସତ ଖୋଜିଥିଲା ଆମ ଟିମ। ଆଉ ସୁଧବେପାରୀ ମାଲାମାଲ ହୋଇ କେମିତି ଗରିବଙ୍କ ତଂଟି ଚିପି ତାଙ୍କୁ ତଳିତଳାନ୍ତ କରି ଦେଇଛନ୍ତି ତାର ସତ ସାମନାକୁ ଆଣିଥିଲୁ ।
ପଦ୍ମକେଶରୀପୁରରେ ବୋମାମାଡ ଘଟଣାର ତଦନ୍ତ କରୁ କରୁ, ପୁଲିସକୁ ମିଳିଥିଲା ବିସ୍ପୋରକ ତଥ୍ୟ। ଗାଁରେ ଦଙ୍ଗା ସୃଷ୍ଟି ହେବାର ମୁଳ କାରଣ ସୁଧ ବୋଲି ପୁଲିସ ଜାଣିବାକୁ ପାଇଛି। ମୁଳ ଟଙ୍କାର ମାସିକ ସୁଧ ବାବଦକୁ ୨୦ ପ୍ରତିଶତ ଆଦାୟ କରୁଥିଲେ ଏହି ସୁଧିଆ ମାନେ। ଏମାନଙ୍କ ଭିତରେ ଥିବା ପୁରୁଷ ଏବଂ ମହିଳାଙ୍କ ସଂପୃକ୍ତି କଥା ପଦାକୁ ଆସିଛି । ମଂଚେଶ୍ୱର ପୁଲିସର ସ୍ୱତନ୍ତ୍ର ଟିମ ସୁଧିଆ ମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ଚିହ୍ନଟ କରି ସାରିଛି। ତେବେ ଏହି ଘଟଣାରେ ୨ ଅଭିଯୁକ୍ତ ସୁବ୍ରତ ଦାସ ଓ ତ୍ରିବେନ୍ଦ୍ର ଦାସକୁ ଗିରଫ କରାଯାଇଛି।
ସୁଧିଆମାନେ ସୁଧ କାରବାରରେ ମୁଳ ଟଙ୍କାର ହଜାରେ ପ୍ରତିଶତରୁ ଅଧିକ ନେଲା ପରେ ବି ମୂଳ ଟଙ୍କା ବାବଦକୁ ଘର,ଡିହ, ଜମି ଆଦି ହଡପ କରିଥିଲେ। ତେବେ ଜମି ହରାଇଥିବା ବ୍ୟକ୍ତି ବିଶେଷ ଥାନାର ଦ୍ୱାରସ୍ଥ ହୋଇ ନିଜର ଅଭିଯୋଗ ରଖି ପାରିବେ ବୋଲି ପୁଲିସ କହିଛି।
ଏଠାରେ ପ୍ରଶ୍ନ ଉଠୁଛି-
ସୁଧିଆ ମାନଙ୍କ ପଛରେ ଥିବା ମୁଷ୍ଟିମେୟ ଲୋକଙ୍କ ପାଳି କେବେ?
ଜମି ହରାଇଥିବା ଲୋକଙ୍କୁ କେବେ ମିଳିବ ତାଙ୍କ ଜମି?
ସବୁଦିନ ପାଇଁ ବନ୍ଦ ହୋଇଯିବ କି ମହାଜନୀ କାରବାର ?