ବର୍ଷାରେ ଭାଙ୍ଗିଲା ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଘର : ଦଦରା ମାଟିଘରେ ରହୁଛନ୍ତି ୧୧ ପ୍ରାଣୀ କୁଟୁମ୍ବ

Advertisment
ବର୍ଷାରେ ଭାଙ୍ଗିଲା ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଘର : ଦଦରା ମାଟିଘରେ ରହୁଛନ୍ତି ୧୧ ପ୍ରାଣୀ କୁଟୁମ୍ବ

କନକ ବ୍ୟୁରୋ : ଗତ ସପ୍ତାହରେ ସମ୍ବଲପୁରରେ ହୋଇଥିବା ପ୍ରବଳ ବର୍ଷାରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଘର ଭାଙ୍ଗି ଯାଇଛି। ଘର ମଝିରେ ଥିବା କାନ୍ଥଟି ଭୁଶୁଡ଼ି ପଡ଼ିଥିବା ବେଳେ ଚାରିପାଖ ମାଟି କାନ୍ଥ ଝୁଲନ୍ତା ଅବସ୍ଥାରେ ରହିଛି। କୌଣସି ମୁହୂର୍ତ୍ତରେ ସେଗୁଡ଼ିକ ଭୁଶୁଡ଼ି ଯାଇପାରେ। ତେଣୁ କିଛି କାଠ ଖୁଣ୍ଟ ସାହାରାରେ ଟେକି ରଖାଯାଇଛି। ତାରି ଭିତରେ ମୁଣ୍ଡ ଗୁଞ୍ଜି ରହିଛନ୍ତି ଶ୍ରୀ ହରିପାଲଙ୍କ ପରିବାରର ୧୧ ସଦସ୍ୟ।

ବିଶ୍ବ ପ୍ରସିଦ୍ଧ ରଂଗବତୀ ଗୀତର ଗାୟକ ଡ. ଜିତେନ୍ଦ୍ର ହରିପାଲ୍‌ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସରକାର ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡିଲିଟ୍ ପ୍ରଦାନ କରାଯାଇଛି। ସମ୍ବଲପୁର ଆକାଶବାଣୀରୁ ଆରମ୍ଭ ହୋଇ ରଂଗବତୀ ବିଶ୍ବ ଦରବାରରେ ଲୋକପ୍ରିୟତା ହାସଲ କରିଛି। ହେଲେ ଏହାର ସ୍ରଷ୍ଟାମାନେ ଏବେ ବି ଦୁଃସ୍ଥ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ବି ମଞ୍ଚରେ ଗୀତ ଗାଇଲେ ଯାଇ ଶ୍ରୀ ହରିପାଲଙ୍କ ଘରେ ଚୂଲି ଜଳେ। ପରିବାରରେ ସେ, ତାଙ୍କ ପତ୍ନୀ, ୨ ପୁଅ, ୩ ବୋହୂ, ୬ ନାତି ନାତୁଣୀ ଅଛନ୍ତି। ୨ ଝିଅ ବାହା ହେଲେଣି। ମଝିଆ ବୋହୂ ଓ ଏକମାତ୍ର ନାତି ଟାଟାରେ ରହୁଥିବାବେଳେ ଅନ୍ୟ ୧୧ ଜଣ ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ମାଟି ଖପର ଘରେ ରହନ୍ତି।

୨୦୧୦ରେ ଶ୍ରୀ ହରିପାଲଙ୍କ ମଝିଆ ପୁଅ ପ୍ରାଣ ହରାଇଥି‌ଲେ। କିଛି ଦିନ ପରେ ତାଙ୍କ ସାନ ପୁଅ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇ ଶାରୀରିକ ଭାବେ ଭିନ୍ନକ୍ଷମ ହୋଇ ଯାଇଛନ୍ତି। ବଡ଼ ପୁଅ ଏକ ଭଡ଼ା ଅଟୋ ଚଳାଇ କିଛି ରୋଜଗାର କରୁଥିଲେ। କିନ୍ତୁ ଏବେ କରୋନା ପାଇଁ ତାହା ଠିକ୍‌ରେ ଚାଲୁ ନାହିଁ। କଳା ହିଁ ଶ୍ରୀ ହରିପାଲଙ୍କ ପରିବାରର ମୁଖ୍ୟ ପେସା। ‌ତାଙ୍କ ପୁଅ, ଝିଅ, ବୋହୁ ଏବଂ ନାତୁଣୀମାନେ ବି କଳାକାର। ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ, ମଞ୍ଚରେ ସଂଗୀତ ପରିବେଷଣ କରି ଦୁଇ ପଇସା ରୋଜଗାର କରନ୍ତି। କିନ୍ତୁ କେଇ ମାସ ହେଲା ତାହା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ତେଣୁ ଏବେ ସରକାରଙ୍କଠାରୁ ମିଳୁଥିବା ପଦ୍ମଶ୍ରୀ ଭତ୍ତା ଓ କଳାକାର ଭତ୍ତା ହିଁ ଏକମାତ୍ର ଆଶ୍ରା। ସେଥିରୁ ପେଟ ପାଇଁ ଦାନା ଖଞ୍ଜିବା କଷ୍ଟକର ହୋଇ ପଡ଼ିଥିବାବେଳେ ଏବେ ଘର ତିଆରି କରିବା ଶ୍ରୀ ହରିପାଲଙ୍କ ପକ୍ଷରେ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି।

ମାଟି ଘରର ଚାରିପାଖ କାନ୍ଥରେ ‌ମୂଷା ବଡ଼ବଡ଼ ଗାତ କରି ଦେଇଛି। ତେଣୁ କୌଣସି ମୁହୂର୍ତ୍ତରେ ତାହା ପଡ଼ି ଯାଇପାରେ। ଘରଟି ଆଉ ମରାମତି କରିବା ଅବସ୍ଥାରେ ନାହିଁ। ସଂପୂର୍ଣ୍ଣ ନୂଆ କରି ଘର ତିଆରି କରିବା ଦରକାର। ଏଥି ପାଇଁ ତାଙ୍କର ଆର୍ଥିକ ସାମର୍ଥ୍ୟ ନାହିଁ। ତେଣୁ ଭାଗ୍ୟକୁ ଆଦରି ରହିଛନ୍ତି ବୋଲି ଶ୍ରୀ ହରିପାଲ ‘ସମ୍ବାଦ’କୁ କହିଛନ୍ତି। ଷ୍ଟେସନ୍‌ପଡ଼ାରେ ଥିବା ଶ୍ରୀ ହରିପାଲଙ୍କ ଏହି ଘରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ବାର ଯାଇଛନ୍ତି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରମୁଖ ଶ୍ରୀ ହରିପାଲଙ୍କ କଳାର ପ୍ରଶଂସା କରିବା ସହ ଆବଶ୍ୟକ ସାହାଯ୍ୟ ସହଯୋଗ କରିଛନ୍ତି। କିନ୍ତୁ ଏବେ ନିଜ ଅବସ୍ଥା ସଂପର୍କରେ କାହାକୁ ଜଣାଇବା ପାଇଁ ସଂକୋଚ ଅନୁଭବ କରୁଥିବା ଶ୍ରୀ ହରିପାଲଙ୍କୁ ସରକାରଙ୍କ ତରଫରୁ ମୁଣ୍ଡ ଗୁଞ୍ଜିବାକୁ ଏକ ଘର ଯୋଗାଇ ଦେବାକୁ କଳାପ୍ରେମୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe