କନକ ବ୍ୟୁରୋ : ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ କାଳିଆବୋଦା ଶ୍ମଶାନ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ ହୋଇଛି । କଟକରେ ଚା ବିକି ଗୁଜୁରାଣ ମେଂଟାଉଥିବା ଡି.ପ୍ରକାଶ ରାଓ ଗରିବ ବସ୍ତି ପିଲାଙ୍କୁ ପାଠ ପଢାଇ ଆସିଥିଲେ ଚର୍ଚ୍ଚାକୁ । ସେ ଚାଲିଗଲା ପରେ ଗରିବ ପିଲାଙ୍କ ଦାୟିତ୍ବ ନେବ ଜିଲ୍ଲା ପ୍ରଶାସନ । ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରଖିବ । ଏ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ, ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ । ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଥିଲେ ଶ୍ରୀ ରାଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ । ୨୦୧୯ରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ।