ପଦ୍ମଶ୍ରୀ ଦୈତାରୀଙ୍କୁ ମିଳିଲା ସରକାରୀ ସହାୟତା ।  ୩ ମାସ ବାବଦକୁ ମିଳିଲା ୩୦ ହଜାର ଟଙ୍କା

245

କନକ ବ୍ୟୁରୋ : ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମିଳିଲା ଆର୍ଥିକ ସହାୟତା। ଗତ ଜୁଲାଇ ମାସରେ ରାଜ୍ୟ ସରକାର କରିଥିବା ଘୋଷଣା ଅନୁସାରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ମୋଟ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ତାଙ୍କୁ ପ୍ରଦାନ କରାଯାଇଛି। ଏଥିସହିତ, କେନ୍ଦୁଝର ଜିଲ୍ଲାର ଅନ୍ୟତମ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତୁଳସୀ ମୁଣ୍ଡା ଏବଂ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ସହାୟତା ମିଳିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ତଳ ବୈତରଣୀ ଗାଁର ଦୈତାରୀ ନାଏକ ନିଜ ଗାଁକୁ ପାଣି ଆଣିବା ପାଇଁ ୪ କିଲୋମିଟର ପାହାଡ଼ କାଟି ଗାଁ ଜମିକୁ ଜଳସେଚନର ବ୍ୟବସ୍ଥା କରିଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ସାରା ରାଜ୍ୟ ଓ ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମୂଲମଜୁରି ଲାଗି ଚଳୁଥିବା ଦୈତାରୀଙ୍କୁ ଆଉ କାମଧନ୍ଦା ମିଳି ନ ଥିଲା। ଯେଉଁଥିପାଇଁ ତାଙ୍କର ସଂସାର ଚଳାଇବା କଷ୍ଟକର ହୋଇ ପଡ଼ିଥିଲା। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ।

ଏହି ଘୋଷଣା ଶୁଣି ଦୈତାରୀ ଗତ ୬ ତାରିଖରେ ବ୍ୟାଙ୍କକୁ ଆସିଥିଲେ। ନିଜ ଜମାଖାତା ଦେଖିଥିଲେ। ଖାତାରେ କିନ୍ତୁ ଟଙ୍କା ନ ଥିଲା। ଖାଲି ଅକ୍ଟୋବର ମାସ କଥା ନୁହେଁ, ଗତ ଜୁଲାଇ ମାସଠୁ ସବୁ ମାସରେ ଗୋନାସିକା ଘାଟି ଅତିକ୍ରମ କରି ବ୍ୟାଙ୍କରେ ଜମା ଖାତାରେ ଟଙ୍କା ଖୋଜୁଥିବା ଦୈତାରୀ ସବୁଥର ନିରାଶ ହେଉଥିଲେ। ତେବେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତୁରନ୍ତ ପଦ୍ମଶ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଜମା କରିଛନ୍ତି। ଦୈତାରୀଙ୍କ ସମେତ କେନ୍ଦୁଝର ଜିଲ୍ଲାର ଅନ୍ୟତମ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ମଧ୍ୟ ଏହି ସହାୟତା ମିଳିଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦୈତାରୀ ନାଏକଙ୍କ ସହିତ ରାଜ୍ୟର ଅନ୍ୟ ୫ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ମଧ୍ୟ ତିନିମାସର ସହାୟତା ପ୍ରଦାନ କରାଯାଇଛି। ପଦ୍ମଶ୍ରୀ ଦୈତାରୀ ନାଏକ ପ୍ରତିକ୍ରିୟାରେ କହିଛନ୍ତି ଯେ, ଟଙ୍କା ଆସିବା ନେଇ ଖବର ପାଇଛି। ମାତ୍ର ବ୍ୟାଙ୍କ ଖାତା ଦେଖିନାହିଁ। ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.