ଆଇପିଏଲ ଉପରେ କରୋନା ସଙ୍କଟ । ବାଙ୍ଗାଲୋରର ପାଡିକଲ ଓ ଦିଲ୍ଲୀର ଅକ୍ଷର ପଟେଲଙ୍କୁ କରୋନା, କିଛି ମ୍ୟାଚରୁ ପଡିପାରନ୍ତି ବାଦ୍ । 

108

କନକ ବ୍ୟୁରୋ : ଆଇପିଏଲ ଉପରେ କରୋନା ସଙ୍କଟ । ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବଞ୍ଚିଥିବା ବେଳେ କରୋନା ଏବେ ଚିନ୍ତା ବଢାଇଛି । କରୋନା ମହାମାରୀ ପାଇଁ ମାତ୍ର ୬ଟି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତି ନିଆଯାଇଥିବା ବେଳେ  ଏବେ ଆଇପିଏଲର ବିଭିନ୍ନ ଟିମର ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ଟୁର୍ଣ୍ଣାମେଣ୍ଟ ଉପରେ ସଙ୍କଟ ଛିଡା କରିଛି ।

ବାଙ୍ଗାଲୋରର ଓପନର ବ୍ୟାଟସମ୍ୟାନ ଦେବିଦତ୍ତ ପାଡିକଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଦଘାଟନୀ ମ୍ୟାଚରେ ବାଙ୍ଗାଲୋର ମୁମ୍ବାଇକୁ ଭେଟିବାକୁ ଯାଉଥିବା ବେଳେ ପାଡିକଲ ପଜିଟିଭ ଚିହ୍ନଟ ହେବ ବାଙ୍ଗାଲୋରର ଚିନ୍ତାକୁ ଦ୍ୱିଗୁଣିତ କରିଛି । ଉଦଘାଟନୀ ମ୍ୟାଚ୍ ପାଇଁ ଏବେ ବାଙ୍ଗାଲୋର ଦଳ ଚେନ୍ନାଇରେ ଥିବା ବେଳେ ପାଡିକଲଙ୍କୁ ଆରସିବି ସ୍କ୍ୱାର୍ଡରୁ ଅଲଗା କରାଯାଇଛି । ଚଳିତ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାର୍ମେଣ୍ଟରେ ଦମଦାର ଫର୍ମରେ ଥିଲେ ପାଡିକଲ । ପୃଥ୍ୱୀ ଶଙ୍କ ପରେ ଦ୍ୱିତୀୟ ସର୍ବାଧିକ ରନ କରିଥିଲେ ପାଡିକଲ ।

କେବଳ ପାଡିକଲ ନୁହଁନ୍ତି ବରଂ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅକ୍ଷର ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଦିଲ୍ଲ୍ୀ ସ୍କ୍ୱାର୍ଡରୁ ଅଲଗା କରାଯାଇଛି । ଇଂଲଣ୍ଡ ବିପକ୍ଷ ସିରିଜରେ ଦମଦାର ଫର୍ମରେ ଥିଲେ ଅକ୍ଷର । ଅକ୍ଷରଙ୍କ ଦମଦାର ବୋଲିଂ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲକୁ ଏଣ୍ଟ୍ରି କରିଥିଲା ।  ତେଣୁ ଅକ୍ଷରଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ବେଶ ଆଶାବାଦୀ ଥିଲା । କିନ୍ତୁ କରୋନା ପଜିଟିଭ ହେବା ପରେ କିଛି ମ୍ୟାଚରୁ ବାଦ୍ ପଡିପାରନ୍ତି ଅକ୍ଷର । ଏହାପୂର୍ବରୁ କୋଲକାତାର ନୀତିଶ ରାଣା କରୋନା ପଜିଟିଭ ହୋଇଥିଲେ । କିନ୍ତୁ ସେ ସୁସ୍ଥ ହେବା ପରେ ଖୁବଶୀଘ୍ର କେକେଆର ସ୍କ୍ୱାର୍ଡରେ ସାମିଲ ହେବେ ।