କୃଷକ ସାଜିଲେ ମୁଖ୍ୟମନ୍ତ୍ରୀ । କୃଷକଙ୍କ ସହ ମିଶି ଚାଷ କ୍ଷେତରେ ଧାନ ରୋଇଲେ କୁମାରସ୍ୱାମୀ, ଦେଖନ୍ତୁ ଭିଡିଓ

33

କୃଷକ ସାଜିଲେ ମୁଖ୍ୟମନ୍ତ୍ରୀ । କାଦୁଅ ଭର୍ତ୍ତି ବିଲରେ ଧାନ ରୋଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଶନିବାର ଚାଷୀ ମାନଙ୍କ ସହ ମିଶି ବିଲରେ ଧାନ ରୋଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ପୂରା କର୍ଣ୍ଣାଟକରେ ଏବେ ଚର୍ଚ୍ଚା ଜୋର ଧରିଛି ।


ଶନିବାର ମଣ୍ଡ୍ୟା ଜିଲ୍ଲାର ସୀତାପୁର ଗାଁରେ ହଠାତ ପହଞ୍ଚିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ପାରମ୍ପରିକ ଧୋତି ପିନ୍ଧି ସିଧାସଳଖ କ୍ଷେତରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । କେହି କିଛି ଭାବିବା ପୂର୍ବରୁ କ୍ଷେତରେ ପହଞ୍ଚି କୃଷକ ମାନଙ୍କ ସହ ମିଶି ଧାନ ରୋଇଥିଲେ କୁମାରସ୍ୱାମୀ । ପାଖାପାଖି ଏହି ସମୟ ମଧ୍ୟରେ ୫ ଏକର ଜମିରେ ଧାନ ରୁଆ ଯାଇଥିଲା । ଏହି କଥା ଚାରିଆଡେ ପ୍ରଚାର ହେବା ପରେ ସେଠାରେ ଲୋକମାନଙ୍କର ଭିଡ ଜମିଥିଲା । ଏପରିକି କୁମାରସ୍ୱାମୀ ଧାନ ରୋଇବା ବେଳେ ତାଙ୍କ ସହ ସେଲଫି ନେବାକୁ ମଧ୍ୟ ଭୁଲିନଥିଲେ ସ୍ଥାନୀୟ ବାସିନ୍ଦା । ଏପରିକି ଚାଷୀ ମାନଙ୍କର ସମସ୍ୟାର ସମାଧାନ ଓ ଚାଷୀ ମାନଙ୍କର ଆୟ ଦୁଇଗଣ କରିବାକୁ ତାଙ୍କ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି କୁମାରସ୍ୱାମୀ । ଏପରିକି ପ୍ରତି ମାସରେ ଗୋଟିଏ ଗାଁକୁ ଯାଇ ପୂରା ଦିନ କ୍ଷେତରେ କାମ କରିବାକୁ ଘୋଷଣା କରିଛନ୍ତି କୁମାରସ୍ୱାମୀ ।

କୁମାରସ୍ୱାମୀ ଚାଷୀ ମାନଙ୍କୁ ସମ୍ବୋଧିତ କରିବାକୁ ଯାଇ କହିଛନ୍ତି, ଚାଷୀ ମାନଙ୍କର ସମସ୍ୟା ସେ ବେଶ ଭଲଭାବେ ଜାଣିଛନ୍ତି । ଏପରିକି ସେ ନିଜେ ମଧ୍ୟ ଧାନ ରୋଇବା ସହ ଫସଲ କାଟିଛନ୍ତି । ଏପରିକି ନିଜ ମୁଣ୍ଡରେ ଫସଲ ମଧ୍ୟ ବୋହିଛନ୍ତି । ତେଣୁ ଚାଷୀଙ୍କର କଣ ସମସ୍ୟା ରହିଛି ତାହା ବିଷୟରେ ସେ ବେଶ ଭଲଭାବେ ଅବଗତ ଅଛନ୍ତି । ତେବେ କୁମ୍ବାରସ୍ୱାମୀଙ୍କର ଏଭଳି ପଦକ୍ଷେପକୁ ଡ୍ରାମା ବୋଲି କହିଛି ବିରୋଧୀ ଦଳ ।