ମଣ୍ଡିରେ ପଡି ରହିଛି ଚାଷୀର ଧାନ । ସାମ୍ନାକୁ ଆସିଲା ଅନ୍ନଦାତାଙ୍କ କରୁଣ ଚିତ୍ର । ଟାର୍ଗେଟ ପୂରଣ ହୋଇଥିବା କହି ଧାନ ଉଠାଉନାହାନ୍ତି ମିଲର, କିଛି ବୁଝି ପାରୁନାହାନ୍ତି ଚାଷୀ କରିବେ କଣ ।

106

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଣ୍ଡି ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି । ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ମଣ୍ଡି ଖୋଲିବାର ଅଳ୍ପ ଦିନ ଭିତରେ ଟାର୍ଗେଟ୍ ପୂରଣ ହୋଇଯାଇଥିବା କହି ଆଉ ଧାନ କିଣାଯାଉ ନାହିଁ । ସେପଟେ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେଇଥିବା ଚାଷୀ କଣ କରିବ, କିଛି ବୁଝି ପାରୁନାହିଁ । ଦିନ ରାତି ମଣ୍ଡିରେ ନିଜ ଉତ୍ପାଦିତ ଧାନକୁ ଜଗି ରହୁଛି ।

ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଟାର୍ଗେଟ୍ ପୂରଣ ପରେ ଧାନ କିଣିବା ପ୍ରକ୍ରିୟା ବନ୍ଦ ରହିଛି । ମାଲକାନଗିରି ଜିଲ୍ଲାରୁ ୧ଲକ୍ଷ ୫୪ ହଜାର କ୍ୱିଂଟାଲ ଧାନ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଯାହା ଦେଢ ମାସରେ ଶେଷ ହୋଇଯାଇଛି । ଏବେ ବି ୧୧ ହଜାର ୬ଶହ ଚାଷୀଙ୍କ କ୍ୱିଂଟାଲ କ୍ୱିଂଟାଲ ଧାନ ମଣ୍ଡି ଓ ଖଳାରେ ପଡି ରହିଛି । ସ୍ଥିତି ଏପରି ହୋଇଛି ଯେ ଟୋକନ ପାଇଥିବା ଚାଷୀ ବି ଧାନ ବିକ୍ରି କରିପାରୁ ନାହାନ୍ତି ।

ସେପଟେ କୋରାପୁଟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ବି ସମାନ ଚିତ୍ର । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ । ସେପଟେ ଜୟପୁର ବ୍ଲକ ହାଡିଆ ପଂଚାୟତର ମଣ୍ଡିରେ ପ୍ରାୟ ୭ ଦିନ ହେଲା ୧୪ ହଜାର କ୍ୱିଂଟାଲ ଧାନ ପଡି ରହିଛି । ଧାନ ବିକ୍ରି ହେଉନଥିବାରୁ ଚାଷୀ ଦିନରାତି ଧାନକୁ ଜଗି ରହିଛନ୍ତି । ସେପଟେ ମଣ୍ଡିରୁ ଧାନ ଉଠାଇବା ପାଇଁ ସରକାର ବ୍ୟବସ୍ଥା ନକଲେ ଆନ୍ଦୋଳନ ତେଜିବ ବୋଲି କହିଛନ୍ତି ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ।

ସେପଟେ ନୂଆପଡାର ବିଭିନ୍ନ ମଣ୍ଡିରେ ବିକ୍ରି ହୋଇନପାରି ପଡି ରହିଛି ୧ ଲକ୍ଷ ୮୦ ହଜାର ୨୭୩ ବସ୍ତା ଧାନ । ଏହାର ପ୍ରତିବାଦର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଚାଷୀ । ତେବେ ଜିଲ୍ଲା ଶୀଘ୍ର ଧାନ କିଣିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।