ଏବେ ବି ମଣ୍ଡିରେ ପଡି ରହିଛି ଧାନ । ପଦ୍ମପୁରଠାରୁ ଆରମ୍ଭ କରି ପୋଲସରା,ସବୁଠି ଚାଷୀଙ୍କ ସମାନ ଅବସ୍ଥା ।

56

କନକ ବ୍ୟୁରୋ: ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା ଆଉ ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ହୋଇଛନ୍ତି ଟଣାଓଟରା । ହେଲେ ଯାହାକୁ ନେଇ ଏତେ ସବୁ ହେଉଛି, ସେମାନଙ୍କର ସ୍ଥିତି କିନ୍ତୁ ସଙ୍ଗୀନ । ମଣ୍ଡିରେ ହିଁ ପଡ଼ି ପଡ଼ି ନଷ୍ଟ ହୋଇଗଲାଣି କ୍ୱିଂଟାଲ କ୍ୱିଂଟାଲ ଧାନ । ଯେତେବେଳେ ପ୍ରଶାସନ ସବୁ ଦେଖି ଆଖି ବନ୍ଦ କରିଦେଇଛି, ସେତେବେଳେ ଅସହାୟ ଚାଷୀ ମଣ୍ଡିରୁ ଗୋଟେଇ ନେଇଛି ଧାନ ।

ମଣ୍ଡିରୁ ଧାନ ଫେରାଇ ନେଇଛନ୍ତିି ପଦ୍ମପୁରର ଚାଷୀ । ଆଉ ତା ପରେ ଧାନକୁ କିଏ ଛତିଶଗଡ଼ରେ ବିକ୍ରି କରିବା ପାଇଁ ଉଦ୍ୟମ କରୁଛି, ତ ଆଉ କିଏ ସ୍ଥାନୀୟ ବ୍ୟବସାୟୀ ହାତରେ ଶାଗମାଛ ଦରରେ ଟେକି ଦେବାକୁ ଚେଷ୍ଟା କରୁଛି । ପଦ୍ମପୁର ଆର୍ଏମ୍ସି ଅଧିନରେ ଥିବା ୭୦ଟି ମଣ୍ଡିରେ ପ୍ରାୟ ୫ ଲକ୍ଷ ବସ୍ତା ଧାନ ପଡ଼ି ରହିଛି । ଯେତେବେଳେ ସାଢ଼େ ୪ ହଜାର ଟୋକନ୍ ଲାପ୍ସ କରି ଯାଇଛି, ଚାଷୀ ପାଖରେ ଧାନ ବିକିବାର ଆଶା ବି ମଉଳି ଯାଇଛି ।

ପଦ୍ମପୁର ଭଳି କୁଚିଣ୍ଡା ଉପଖଣ୍ଡରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଦଲାଲର ଦାଦାଗିରି ଭିତରେ ଘାଂଟି ହେଉଥିବା ଚାଷୀ, ମଣ୍ଡିରେ ଧାନ ପକାଇ ବସିଛି । ଧାନ ବିକିବେ କଣ? ସମସ୍ୟା ପରେ ସମସ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଟାର୍ଗେଟ ଆସୁ ନଥିବାରୁ କୁଚିଣ୍ଡା ଡିମିରିମୁଣ୍ଡା ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି ।

କେବଳ ପଶ୍ଚିମ ଓଡ଼ିଶାରେ ମଣ୍ଡି ସମସ୍ୟା ସୀମିତ ରହିନି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ରେ ବି ଚାଷୀଙ୍କ ସେଇ ସମାନ ଅବସ୍ଥା । ତିନି ମାସ ହେଲା ମଣ୍ଡିରେ ଧାନ ରଖି ଅପେକ୍ଷା କରିଛି ଚାଷୀ । ହେଲେ ମଣ୍ଡିରୁ ଧାନ ଉଠିପାରୁନି । ଏଭଳି ସ୍ଥିତିରେ ଚାଷୀଙ୍କ ଅସହାୟତାର ଫାଇଦା ନେଇ ଅସାଧୁ ବ୍ୟବସାୟୀ । ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣି ନେଇ ଆନ୍ଧ୍ରପ୍ରଦେଶରେ ବିକ୍ରି କରୁଛନ୍ତି ।