ମଣ୍ଡି ସମସ୍ୟାକୁ ନେଇ ଆଜି ଦିନ ତମାମ ବିଧାନସଭା ଅଚଳ । ଅପରାହ୍ଣ ୪ଟା ପରେ ବି ସ୍ୱାଭାବିକ ହୋଇ ପାରିଲା ନାହିଁ ଗୃହ ।

ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ପୁଣି ମୁଲତବି ଘୋଷଣା କଲେ ବାଚସ୍ପତି

68

କନକ ବ୍ୟୁରୋ: ବିଧାନସଭାକୁ ଅଚଳ କରୁଛି ଚାଷୀ ସମସ୍ୟା । ମଣ୍ଡି ସମସ୍ୟାକୁ ନେଇ ଆଜି ବାରମ୍ବାର ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଗୃହର ମଧ୍ୟଭାଗକୁ ଆସି ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଯାହାଫଳରେ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ଆଦୌ ଚାଲିପାରିନାହିଁ ଗୃହ କାର୍ଯ୍ୟ । ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସରକାରୀ ଦଳକୁ ବଡ଼ ପ୍ରସଙ୍ଗ ଯୋଗାଇ ଦେଇଛି ।

ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ ରାଜନୀତି ଜୋର ଧରିଛି । ବିଜେପି ଏହି ପ୍ରସଙ୍ଗରେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ଦଳ କହିଛି, ଆତ୍ମହତ୍ୟା ଉଦ୍ୟମ ଘଟଣା ଦ୍ୱାରା ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି , ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ । ଏତେ ସମୟ ବିତିଗଲା ବିଜେପି କାହିଁକି ଚୁପ ଓ ଏହି ପ୍ରସଙ୍ଗକୁ କାହିଁକି ଏଡାଉଛି ବୋଲି ବିଜେଡି ପ୍ରଶ୍ନ କରିଛି । ସେପଟେ ବିଜେପି ବି ଏହାର ପାଲଟା ଜବାବ ଦେଇଛି । ଦଳ କହିଛି ବିଧାନସଭା ଚାଲିଥିବାବେଳେ ଦଳୀୟ ଅଫିସରେ ପ୍ରେସମିଟ କରି ଆକ୍ଷେପ କରିବା କେତେଦୂର ଠିକ୍ । ଯଦି ସୁବାସଙ୍କ ଭୁଲ ଅଛି ତେବେ ତାଙ୍କୁ ସସପେଣ୍ଡ କରନ୍ତୁ, ତଦନ୍ତ କରନ୍ତୁ । ଏହା ନକରି ଗୃହକୁ କାହିଁକି ଅଚଳ କରି ରଖାଯାଇଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି ।