ଟୋକନ ଅବଧି ଶେଷ ହେବା ପରେ ବି ପଡି ରହିଛି ବସ୍ତା ବସ୍ତା ଧାନ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଚାଷୀଙ୍କ କରୁଣ ଚିତ୍ର

31

କନକ ବ୍ୟୁରୋ: ମଣ୍ଡି ଖୋଲିଛି, କିନ୍ତୁ ସମୟ ବିତିଯାଇଥିଲେ ବିକ୍ରି ନ ହୋଇ ପଡିରହିଛି ବସ୍ତା ବସ୍ତା ଧାନ । ଯାହା ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି । ରାଜ୍ୟର ୩ଟି ସ୍ଥାନରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଏଭଳି କରୁଣ ଚିତ୍ର ।

ବରଗଡ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିଲା । ପଦ୍ମପୁର ଆଏମଏସି ଅଧିନରେ ଥିବା ସତୁରୀ ମଣ୍ଡିରେ ମଧ୍ୟ ଚାଷୀଙ୍କ ଧାନ କିଣାଗଲା । ଚାଷୀ ସରକାରଙ୍କ ଟୋକନ ପାଇବା ପରେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେ । ଶେଷରେ ଚାଷୀଙ୍କ ପାଖରେ ଥିବା ଟୋକନର ବୈଧନତା ସରିଗଲା , କିନ୍ତୁ ଚାଷୀ ଧାନ ବିକ୍ରି କରିପାରିଲା ନାହିଁ । ଏବେ ମଧ୍ୟ ପଦ୍ମପୁର ଆରଏମସି ଅଧିନରେ ସତୁରୀଟି ମଣ୍ଡିରେ ୫ ଲକ୍ଷ ଧାନବସ୍ତା ପଡିରହିଛି । ଫଳରେ ଚିନ୍ତାରେ ପଡିଛି ଚାଷୀ । ଖରା ଓ ରାତିର କାକର ଯୋଗୁଁ ଧାନବସ୍ତା ଗୁଡିକ ଫାଟି ଯାଇ ତଳେ ପଡି ନଷ୍ଟ ହେଉଛି ।

ସେହିଭଳି ଚାଷୀଙ୍କ ସମସ୍ୟାର ସମାନ ଚିତ୍ର ଆସିଛି ଦେବଗଡ ଓ କୁଚିଣ୍ଡାରୁ । କୁଚିଣ୍ଡାରେ ମିଲର ଟାର୍ଗେଟ ସରିଯିବା ଯୋଗୁଁ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଚାଷୀ ଚାଷରେ ଖର୍ଚ କରିଥିବା ମୂଳଧନ ବି ଏ ଯାଏଁ ପାଇପାରିନାହିଁ । କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ୫୦ ହଜାରରୁ ଅଧିକ ବସ୍ତା ଧାନ ପଡିରହିଛି । ମାସାଧିକ କାଳ ପଡିରହିବାରୁ ଧାନ ଏବେ ଶୁଖିଯାଉଛି । ସେପଟେ ଦେବଗର ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିରେ ଆଜି ମଧ୍ୟ ଚାଷୀଙ୍କ ମଣ୍ଡିରେ ପଡିରହିଥିବା ଦେଖିବାକୁ ମିଳିଛି । ଯେଉଁଠି ଧାନ ବିକ୍ରୀ ହୋଇଛି ସେଠାରେ ୧୦ ଦିନ ମଧ୍ୟରେ ପ୍ରାପ୍ୟ ମିଳୁଛି । ପଶ୍ଚିମାଂଚଳର ବିଭିନ୍ନ ସ୍ଥାନରେ ମଣ୍ଡିରେ ଅବ୍ୟବସ୍ଥା ଚାଷୀଙ୍କ ସମସ୍ୟାକୁ ବଢାଇଦେଇଛି । ପ୍ରଶ୍ନ ଉଠୁଛି ଏହି ସମସ୍ୟାର ସମାଧାନ କେବେ ହେବ ଓ ଚାଷୀ ସେମାନଙ୍କ ପ୍ରାପ୍ୟ କେବେ ପାଇବେ ।