କନକ ବ୍ୟୁରୋ: ବିଧାନସଭାରେ ତୃତୀୟ ଦିନରେ ପୁଣି ଚାଷୀ ତାତି । ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ସରକାରଙ୍କୁ ଘେରି ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ପୋଡିୟମ ତଳେ ହୋହାଲ୍ଲା କରିଥିଲେ ବିଜେପି ଓ କଂଗ୍ରେସ ସଦସ୍ୟ । ବିଜେପି ସଦସ୍ୟମାନେ ଗାଉନ ପିନ୍ଧି ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । କେବଳ ଭିତରେ ନୁହେଁ ଗୃହ ବାହାରେ ମଧ୍ୟ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ ।

Advertisment

ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଳା ଭିତରେ ଗୃହରେ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଉ କହିଥିଲେ...

ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ ୩ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି ।
ଗତବର୍ଷ ୪୫ ଲକ୍ଷ ୬୧ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା
ଯାହାକି ଗତବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ
ବର୍ତମାନ ସୁଦ୍ଧା ୯ ଲକ୍ଷ ୯୩ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି
ଧାନ ବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଯାଇଛି ।
ଧାନ କିଣା ଯିବାର ୭ ଦିନ ପୂର୍ବରୁ ଚାଷୀଙ୍କୁ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଯାଉଛି
ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ ଚାଲିବ

ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଗୃହରେ ହୋହାଲ୍ଳା କରିଥିଲେ ବିରୋଧୀ । ମଣ୍ଡିରେ ପଡିଥିବା ଧାନ ନଉଠିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ବିଜେପି କହିଥିବାବେଳେ କଂଗ୍ରେସ କହିଥିଲା, ସରକାର ଆଲୋଚନାକୁ ଡରୁଛନ୍ତି ।ଚାଷୀ ସମସ୍ୟା ଗୁରୁତର ଥିବାରୁ ଗୃହରେ ଆଲୋଚନା ପାଇଁ ଦାବି କରୁଛନ୍ତି ବିରୋଧୀ । ହେଲେ, ବିରୋଧୀଙ୍କ ଦାବିକୁ ସରକାର ଗ୍ରହଣ କରିନାହାଁନ୍ତି । ଫଳରେ ବିରୋଧୀ ବାରମ୍ବାର ଗୃହ ଅଚଳ କରୁଛନ୍ତି ।