ଧାନ ବିକ୍ରି ନହୋଇପାରି ମଣ୍ଡିରେ ପଡିରହିଛି ଲକ୍ଷାଧିକ ଟଙ୍କାର ଧାନ ବସ୍ତା: ଆସୁନାହାନ୍ତି ମିଲର, ଶୀତ କାକରରେ ରାତି ବିତାଉଛନ୍ତି କୁଚିଣ୍ଡା ଚାଷୀ

111

କନକ ବ୍ୟୁରୋ: ମଣ୍ଡରେ ପଡିରହିଛି ବସ୍ତା ବସ୍ତା ଧାନ । ହେଲେ ଆସୁନାହାନ୍ତି ମିଲର । ଫଳରେ ଶୀତ କାକରରେ ମଣ୍ଡିରେ ପଡିରହୁଛନ୍ତି ଚାଷୀ । ଟୋକନ ପାଇଲା ପରେ ମଣ୍ଡିକୁ ଧାନ ଆଣିଲେ ଚାଷୀ । ହେଲେ ଧାନ ବିକ୍ରି ହୋଇନପାରି ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦ ଲାଗିରହିଥିବା ବେଳେ ଏବେ ମିଲର ଙ୍କ ମନମାନି ଓ ପ୍ରଶାସନର ଉଦାସିନତା ଯୋଗୁଁ ଉପଖଣ୍ଡର ଅନେକ ମଣ୍ଡିରେ ପ୍ରାୟ ତିନି ଲକ୍ଷ ରୁ ଉର୍ଦ୍ଧ ଧାନ ବସ୍ତା ପଡିରହିଛି । ଆଉ ତାକୁ ଜଗିବାକୁ ରାତିସାରା ଉଜାଗର ରହୁଛନ୍ତି ଚାଷୀ ।

ସେହଭିଳି ବରଗଡ ପଦ୍ମପୁର ଉପଖଣ୍ଡରେ ବି ଚାଷୀଙ୍କ ଚିନ୍ତା ବଢାଇଛି ମଣ୍ଡି ସମସ୍ୟା । ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ପଶିଚି ହଜାର ବସ୍ତା ଧାନ । ଚାଷୀ ଧାନ ବିକି ଦୁଇ ପଇସା ରୋଜଗାର କରିବା ଉଦେଶ୍ୟରେ ମଣ୍ଡିକୁ ଆଣିଛନ୍ତି । କିନ୍ତୁ ମିଲର ଓ ମଣ୍ଡି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମାସ ମାସ ଧରି ବିକ୍ରୀ ହୋଇପାରୁନାହିଁ, ମଣ୍ଡିରେ ପଡି ରହିଛି । ଟୋକନର ବୈଧତା ଗୋଟିଏ ମାସ ଥିବା ବେଳେ ମାସ ପୁରିଗଲେ ଧାନ ବିକ୍ରିରେ ସମସ୍ୟା ହେବ, ତେଣୁ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ଦଲାଲକୁ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ।