ନବରଙ୍ଗପୁରରେ ଚାଷୀଙ୍କ ସହ ଠକାମୀର ଖେଳ ଖେଳୁଛି କଂପାନୀ । ଧାନରୁଆ ମେସିନ୍ କିଣା ନାଁରେ ମିଶିତା ଏଂଟରପ୍ରାଇଜେସ୍ ବିରୋଧରେ ଠକେଇ ଅଭିଯୋଗ । ଚାଷୀ ପାଇଲେନି ମେସିନ୍, କଂପାନୀ ନେଇଗଲା ସବସିଡି ।

214

କନକ ବ୍ୟୁରୋ: ନବରଙ୍ଗପୁରରେ ଚାଷୀଙ୍କ ସହ ଖେଳୁଛି କଂପାନୀ । ଧାନରୁଆ ମେସିନ୍ ଯୋଗାଇବା ନାଁରେ ବଡ଼ ଠକେଇ । ଚାଷୀ ପାଇଲେନି ମେସିନ୍, କଂପାନୀ ନେଇଗଲା ସବସିଡି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର କିଛି ଉତ୍ସାହୀ ଚାଷୀ ଭାବିଥିଲେ, ଧାନରୁଆ ମେସିନ୍ କିଣିଲେ ଚାଷକାମ ସହଜ ହେବ । ତେଣୁ ମିଶିତା ଏଂଟରପ୍ରାଇଜେସ୍ର କଥାରେ ଭଳିଯାଇଥିଲେ ଚାଷୀ । ଅନଲାଇନ୍ରେ ଶୀତଲ ଆଗ୍ରୋ ଇନ୍ପୁଟ୍ ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ଧାନରୁଆ ଯତ୍ନ ବା ଟ୍ରାନ୍ସପ୍ଲାଂଟର କିଣିବା ପାଇଁ କରିଥିଲେ ଆବେଦନ । ସବସିଡି ପାଇବା ଆଶାରେ ୩୦ ହଜାର ଟଙ୍କା ବ୍ୟାଙ୍କ ଆକାଉଂଟରେ ଜମା ମଧ୍ୟ କରିଥିଲେ । ହେଲେ ନା ମିଳିଲା ସବସିଡି, ନା ମିଳିଲା ମେସିନ୍ ।

ଚାଷୀଙ୍କ ଠାରୁ ସେମାନଙ୍କ ଆଇଡି କାର୍ଡ ଓ ବ୍ଲାଂକ୍ ଚେକ୍ ନେବା ପରେ ଠକେଇର ବଡ଼ ଖେଳ ଆରମ୍ଭ କରିଥିଲା ମିଶିତା ଏଂଟରପ୍ରାଇଜେସ୍ । ଚାଷୀମାନେ ଅଭିଯୋଗ କରିଛନ୍ତି, ଶୀତଲ ଆଗ୍ରୋ ଇନ୍ପୁଟ୍ ଓ ମିଶିତା ଏଂଟରପ୍ରାଇଜେସ୍ ସବସିଡି ବାବଦରେ ମିଳିଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଚାଷୀ ମେସିନ୍ ପାଇନାହାନ୍ତି, ହେଲେ ମିଶିତା ଏଂଟରପ୍ରାଇଜେସ୍ର ୱେବସାଇଟ୍ରେ ଥିବା ତଥ୍ୟ କହୁଛି, ଚାଷୀଙ୍କୁ ଯୋଗାଇ ଦିଆଯାଇଛି ଧାନରୁଆ ମେସିନ୍ ।

ୱେବସାଇଟ୍ରୁ ମିଳିଥିବା ତଥ୍ୟ କହୁଛି । ଅର୍ଜୁନ ନାୟକ ମେସିନ୍ ପାଇନାହାନ୍ତି, ହେଲେ ଏଥିରେ ଦର୍ଶାଯାଇଛି ଗତ ୩୧ ଜାନୁଆରୀରେ ଡେଲିଭରି ହୋଇଛି ମେସିନ୍ । ୨ ଲକ୍ଷ ୬୪ ହଜାର ୭୮୭ ଟଙ୍କାର ଧାନରୁଆ ମେସିନ୍ ପାଇଁ ୧ ଲକ୍ଷ ୩୨ ହଜାର ୩୯୩ ଟଙ୍କା ସବସିଡି ଦିଆଯାଇଥିବା ଦର୍ଶାଯାଇଛି । ଜାଲ୍ ଚେସିସ୍ ନମ୍ବର, ଇଂଜିନ୍ ନମ୍ବର ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ହୋଇଛି ।

କେବଳ ଅର୍ଜୁନ ନାୟକ ନୁହଁନ୍ତି ୱେବସାଇଟ୍ର ତଥ୍ୟ କହୁଛି, ଗୀତାଂଜଳି ନାୟକଙ୍କୁ ଧାନରୁଆ ମେସିନ୍ ଦିଆଯାଇଛି ଗତ ଫେବ୍ରୁଆରୀ ୧୨ ତାରିଖରେ, ଦେବବ୍ରତ ନାୟକ ମେସିନ୍ ପାଇଛନ୍ତି ଗତବର୍ଷ ନଭେମ୍ବର ୬ ତାରିଖରେ । ଏପରି ଅନେକ ଚାଷୀଙ୍କ ନାଁରେ ମିଛି ମିଛିକା ଧାନରୁଆ ମେସିନ୍ କିଣାଯାଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ସବସିଡି ଅର୍ଥ କଂପାନୀ ବାଟମାରଣା କରିଥିବା ଅଭିଯୋଗ ହୋଇଛି । ଏ ନେଇ କୃଷି ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ । ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଚାଷୀ ନିକଟକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, କେବେ ବନ୍ଦ ହେବ ଚାଷୀଙ୍କ ସହ ଖେଳ? କୃଷି ଯନ୍ତ୍ରପାତି ନାଁରେ ଠକେଇ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏ ନେଇ କାହିଁକି ବିଧିବଦ୍ଧ ତଦନ୍ତ କରୁନାହିଁ କୃଷି ବିଭାଗ?