ଅନଲାଇନ୍ ଟୋକନ୍ ବ୍ୟବସ୍ଥା ବିରୋଧରେ ତାତିଲେ ଚାଷୀ : ପ୍ରତ୍ୟାହାର ପାଇଁ ସରକାରଙ୍କୁ ଦେଇଥିବା ଡେଡଲାଇନ୍ ସରିବା ପରେ ତେଜିଲା ଅନ୍ନଦାତାଙ୍କ ଆନ୍ଦୋଳନ

267

କନକ ବ୍ୟୁରୋ: ଅନଲାଇନ୍ ଟୋକନ୍ ବ୍ୟବସ୍ଥା ବିରୋଧରେ ତାତିଛନ୍ତି ଚାଷୀ । ଏହାକୁ ପ୍ରତ୍ୟାହାର କରିବାକୁ ଆଜି ଦିନ ୧୨ଟା ଯାଏଁ ଡେଡଲାଇନ୍ ଦେଇଥିଲେ ଚାଷୀ । ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନ୍ନଦାତା । ସଂବଲପୁର, ବରଗଡ ଓ ବଲାଙ୍ଗୀରରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଏହାରି ଭିତରେ ସଂବଲପୁରରେ ଚାଉଳ ମିଲ ଗୁଡିକର ମଧୁଚନ୍ଦ୍ରିକା ସାମ୍ନାକୁ ଆସିଛି ।

ଗତ ୧୫ ତାରିଖରୁ ମଣ୍ଡି ଖୋଲିଲାଣି, ହେଲେ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି ହଜାର ହଜାର କ୍ୱିଂଟାଲ ଧାନ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ବିକ୍ରି କରୁନାହାନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ, ଟୋକନ୍ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରି ହୋଇପାରିବ । ଏଥର ଭଲ ଅମଳ ହୋଇଛି, ଏହି ବଳକା ଧାନକୁ କିପରି ବିକ୍ରି କରିବେ । ଏହାକୁ ନେଇ ସମ୍ବଲପୁର ଓ ପଦ୍ମପୁରରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ସେପଟେ ବରଗଡ଼ରେ ଟୋକନ୍ ମିଳିନଥିବାରୁ ମଣ୍ଡିରେ ଧାନ ପଡି ରହିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ, ମଣ୍ଡି ଖୋଲିବା ପୂର୍ବରୁ ମିଲରେ କୁଇଂଟାଲ କୁଇଂଟାଲ ଧାନ ଓ ଚାଉଳ ଭର୍ତି । ବଲାଙ୍ଗିରର ଜିଲ୍ଲାରେ ଜିଲ୍ଲାପାଳ ଡିଏଲପିସି ମିଟିଙ୍ଗରେ ନଭେମ୍ବର ୧୫ ଠାରୁ ଧାନ କିଣା ଦିନ ଧାର୍ଯ୍ୟ କରିଥିଲେ । ହେଲେ କିଛି ଅସାଧୁ ମିଲର୍ସ ପ୍ରଶାସନକୁ ହାତ କରି ନିଜ ଖରିଫ ଟାର୍ଗେଟ ୧୫ ତରିଖ ମଧ୍ୟେôର ସରକାରଙ୍କୁ ଦେଲା ପରେ ମଧ୍ୟ ଏବେ ତାଙ୍କ ମିଲ ଗୁଡିକରେ ଗଚ୍ଛିତ ହୋଇ ରହିଛି ବିପୁଳ ପରିମାଣର ଧାନ ଓ ଚାଉଳ । ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଗଲା ପରେ ମଧ୍ୟ ସେ ଏଥିପ୍ରତି ଧ୍ୟାନ ନଦେଇ ନାହାନ୍ତି ।

ମିଲର୍ସ ମାନେ ମଂଣ୍ଡି ସହାୟତାରେ ଚାଷୀ ମାନଙ୍କ ଠାରୁ ଧାନ କିଣନ୍ତି । ଏହି ଧାନକୁ ପ୍ରୋସେସ କରି ପୁଣି ଚାଉଳ ସରକାରଙ୍କୁ ଦେଇ ଥାନ୍ତି । ସରକାର ଏବର୍ଷ ଧାନ ପ୍ରତି କୁଇଂଟାଲ ପିଛା ୧୮୧୫ ଟଙ୍କା ଧାର୍ଯ୍ୟ କରିଛନ୍ତି । ଚାଷୀ ମାନଙ୍କ ଠାରୁ ମାତ୍ର ୧୨୦୦ ଟଙ୍କା ପ୍ରତି କୁଇଣ୍ଟାଲ ଦେଇ ଆଗତୁରା କିଣି ମିଲରେ ମହଜୁତ ରଖିଥାନ୍ତି ଧାନ । ଏହାକୁ ସରକାରଙ୍କ ଦାମରେ ଦେଖାଇ ପରେ ପରେ ମାଲାମାଲ୍ ହୋଇଥାନ୍ତି । ଏହାରି ଭିତରେ ଚଳିତ ବର୍ଷ ମଣ୍ଡିରେ ଧାନ ବିକି ନପାରି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ବୋଲି ଆଶଙ୍କା କଲାଣି ।