ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ମଣ୍ଡିରେ ଭିଜି ନଷ୍ଟ ହୋଇଗଲା ଶହ ଶହ କ୍ୱିଣ୍ଟାଲ ଧାନ, ଟୋକନ ମିଳିନଥିବାରୁ ଚାଷୀ ମନରେ ଜଳୁଛି ଅସନ୍ତୋଷର ନିଆଁ ।

91

କନକ ବ୍ୟୁରୋ : ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ଟୋକନ ନମିଳିବାରୁ ବିକ୍ରି ନହୋଇପାରି ମଣ୍ଡିରେ ଗଦା ହୋଇଥିବା ଧାନକୁ ଭିଜାଇ ଦେଇଛି ଲଗାଣ ବର୍ଷା । ବର୍ଷାରେ ଭିଜି ଯାଇଥିବା ଧାନକୁ ସୁଖାଇ ବିକିଲେ କିଏ କିଣିବ ଏବେ ଚାଷୀଙ୍କୁ ସେହି ଚିନ୍ତା ଘାରିଛି । ସେପଟେ ଏବେ ବି ଟୋକନ ପାଇଁ ଲ୍ୟାମ୍ପସକୁ ଗଲେ ଟୋକନ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଟୋକନ ଟେନସନକୁ ବଳିଗଲା ଅଦିନିଆ ବର୍ଷା । ଅନଲାଇନ୍ ବିକ୍ରି ଓ ବର୍ଷା ଭିତରେ ଫସିଗଲେ ଚାଷୀ । ଖଳାରେ ଗଦା ହୋଇଥିବା ଧାନକୁ ଭିଜାଇ ଦେଇଛି ବର୍ଷା । ଶୁଖିଲା ଥିବାବେଳେ ତ ବିକ୍ରି ହୋଇପାରିଲା ନାହିଁ । ଆଉ ଏବେ ଓଦା ଧାନକୁ ଶୁଖାଇ ବିକ୍ରି କଲେ କିଏ କିଣିବେ କି ନାହିଁ ତାକୁ ନେଇ ଦ୍ୱନ୍ଦରେ ଚାଷୀ ।

ନବରଙ୍ଗପୁର ଉମରକୋଟରେ ଚାଷୀଙ୍କୁ କାଳ ହୋଇଛି ଅଦିନିଆ ବର୍ଷା । ଅନଲାଇନ୍ ଟୋକନ ମିଳିବା ପରେ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ରଖିଛନ୍ତି ଚାଷୀ । ହେଲେ ଠିକଣା ସମୟରେ ଟୋକନ ମିଳୁନାହିଁ କି ଧାନ ବିକ୍ରି ହୋଇପାରୁନାହିଁ । ଏତିକି ବେଳେ ଅଦିନିଆ ବର୍ଷା ମଣ୍ଡିରେ ଥିବା ଧାନକୁ ଓଦା କରିଦେବା ପରେ ଚାଷୀର ଦୁଃଖ ଦ୍ୱିଗୁଣିତ ହୋଇଯାଇଛି ।

ଚାଷୀ ଟୋକନ ପାଇଁ ଲ୍ୟାମ୍ପସକୁ ଗଲେ ମଧ୍ୟ ମେସେଜ୍ ଆସିନି କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । ସେପଟେ ଅମଳ ପରେ ଏପରି ଫସଲ ନଷ୍ଟକୁ ନେଇ ଉମରକୋଟ ଚାନ୍ଦିଆବେଡା ଓ ମୂର୍ତୁମା ଅଂଚଳର ଚାଷୀ ଭାଙ୍ଗି ପଡିଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ନେଇ ମଣ୍ଡି ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଦେଖା ଦେଉନାହାନ୍ତି ।