ମାଲକାନଗିରି ଚାଷୀଙ୍କ ଆଖିରେ ଅଦିନିଆ ବର୍ଷା ସାଙ୍ଗକୁ ଲକଡାଉନ୍ ଲୁହ । ଗଜା ହୋଇଗଲା ମାସ ମାସ ଧରି ମଣ୍ଡିରେ ଗଦା ହୋଇଥିବା ଧାନ । କେମିତି ପୋଷିବେ ପରିବାର?

217

କନକ ବ୍ୟୁରୋ: ମାସ ମାସ ଧରି ମଣ୍ଡିରେ ପଡି ରହିଛି ଧାନ । କରୋନା ଲକ ଡାଉନ ସାଙ୍ଗକୁ ବର୍ଷା ମାଡରେ ଧାନ ଗଜା ହୋଇଯିବା ପରେ ସଙ୍କଟରେ ଚାଷୀ । ଖୋଲା ଆକାଶ ତଳେ ପଡି ରହିଥିବା କ୍ୱିଂଟାଲ କ୍ୱିଂଟାଲ ଧାନ ବର୍ଷାରେ ଭିଜି ଗଜା ହୋଇଯାଇଛି । ମଣ୍ଡିରେ ଧାନ ନଷ୍ଟ ହେଉଥିଲେ ବି ତାଲା ବନ୍ଦର ଆଳ ଦେଖାଇ ଚାଷୀଙ୍କ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।

ମାଲକାନଗିରି ଜିଲ୍ଲା ଖଇରପୁଟରୁ ଏପରି ଅଭିଯୋଗ ଆସିଛି । ବ୍ଲକ ସଦରରେ ଥିବା ମଣ୍ଡିର ହାଲ୍ ବେହାଲ । କିଭଳି ଭାବେ ଧାନ ଗୁଡିକ ବର୍ଷାରେ ଓଦା ହେବା ପରେ ଗଜା ହୋଇଯାଇଛି । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଧାନ କ୍ରୟ ପ୍ରକ୍ରିୟା ଶେଷ ହୋଇଛି । ହେଲେ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି ପାଇଁ ଆଜି ବି ମଣ୍ଡିରେ ଅପେକ୍ଷା କରିଛନ୍ତି । ଧାନ ବସ୍ତାକୁ ମଣ୍ଡିରେ ଗଦା କରି ରଖିଥିବା ବେଳେ ଟୋକେନ୍ ଉଡି ଯାଇଛି, ଧାନ ଘରକୁ ଫେରାଇ ନେବାକୁ ଲ୍ୟାମ୍ପସ କର୍ତୃପକ୍ଷ କହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।