ଧାନ ବିକ୍ରିରେ ବାଧକ ସାଜୁଛି ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥା । ଟୋକନ୍ ଜରିଆରେ ଧାନ ବିକ୍ରିକୁ ବରଗଡ଼ ଓ ସମ୍ବଲପୁର ଚାଷୀଙ୍କ ବିରୋଧ

ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରିକୁ ନେଇ ଦାନା ବାନ୍ଧୁଛି ଆନ୍ଦୋଳନ;ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଂଟାଲ ଧାନ

220

କନକ ବ୍ୟୁରୋ: ବଲାଙ୍ଗୀରରେ ଚାଉଳ ମିଲ ଗୁଡିକର ମଧୁଚନ୍ଦ୍ରିକା ଖବର ଭିତରେ ଆସିଛି ମଣ୍ଡିରେ ଚାଷୀଙ୍କ ଅସନ୍ତୋଷର ଚିତ୍ର । ୧୫ ତାରିଖରୁ ମଣ୍ଡି ଖୋଲିଲାଣି, ହେଲେ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି ହଜାର ହଜାର କ୍ୱିଂଟାଲ ଧାନ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ବିକ୍ରି କରୁନାହାନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ, ଟୋକନ୍ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରି ହୋଇପାରିବ । ଏଥର ଭଲ ଅମଳ ହୋଇଛି, ଏହି ବଳକା ଧାନକୁ କିପରି ବିକ୍ରି କରିବ, ବାଟ ପାଉନି ଚାଷୀ । ଏହାକୁ ନେଇ ସମ୍ବଲପୁର ଓ ପଦ୍ମପୁରରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ସେପଟେ ବରଗଡ଼ରେ ଟୋକନ୍ ମିଳିନଥିବାରୁ ମଣ୍ଡିରେ ଧାନ ପଡ଼ିରହିଛି ।

ଏପଟେ, ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥା ଯୋଗୁଁ ଚାଷୀ ଅସନ୍ତୋଷ ଦେଖା ଦେଇଥିବା ବେଳେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚାଷୀ କିଛି ଅଭିଯୋଗ କରୁନାହାନ୍ତି, କିଛି ମଧ୍ୟସି୍ଥ ଏହି ଅଭିଯୋଗ ଉଠାଉଛନ୍ତି ।

ମିଲରଙ୍କ ବୁଢିଆଣୀ ଜାଲ । ମଣ୍ଡି ଖୋଲିବା ପୂର୍ବରୁ ରାଇସ୍ ମିଲରେ ଭର୍ତ୍ତି ହୋଇଯାଉଛି ଧାନ । ବଲାଙ୍ଗୀର ଜିଲ୍ଲାରୁ ଆସିଛି କିଛି ଏଭଳି ଚିତ୍ର । ଯାହା ବେଶ ଚିନ୍ତାଜନକ । ଧାନ କିଣା ହେବା ପୂର୍ବରୁ ରାଇସ ମିଲରେ ହଜାର ହଜାର କ୍ୱିଂଟାଲ ଧାନ । ମଣ୍ଡିରେ ଚାଷୀଙ୍କ ଠାରୁ ଧାନକିଣା ସ୍ୱାଭାବିକ ଭାବେ ଆରମ୍ଭ ହେବା ପୂର୍ବରୁ ତୁଷୁରା ଅଂଚଳର ମିଲରେ ଗଦା ହୋଇରହିଛି ଧାନ । କନକ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି, ଏସବୁ ଧାନ ବାହାର ରାଜ୍ୟରୁ ଆସିଛି । ଛୋଟ ଧାନକୁ କମ ଦାମରେ କିଣି ମିଲରେ ରଖାଯାଇଛି । ଆଉ ଏପରି ଧାନ କିଣିବା ପଛର ଉଦ୍ଦେଶ୍ୟ ହେଲା, ଏହି ସବୁ ଧାନକୁ ସରକାରୀ ମୁୂଲ୍ୟରେ କିଣାଯାଇଥିବା ଦର୍ଶାଇ ମୋଟା ଅଙ୍କର ଅର୍ଥ ରୋଜଗାର କରିବା ।