ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ: ମଣ୍ଡି ବଦଳରେ ମିଲକୁ ଆସୁଛି ଧାନ

207

କନକ ବ୍ୟୁରୋ: ମଣ୍ଡି ବଦଳରେ ସିଧାସଳଖ ମିଲକୁ ଯାଉଛି ଚାଷୀର ଧାନ । ସରକାରୀ ନିୟମର ଉଲ୍ଲଂଘନ କରି ଚାଷୀର ଧାନକୁ ମିଲକୁ ନେବାକୁ ଉସୁକାଉଛନ୍ତି ମଣ୍ଡିରେ କାମ କରୁଥିବା କର୍ମଚାରୀ । ମିଲର ଓ ମଣ୍ଡି କର୍ମଚାରୀଙ୍କ ଭିତରେ କେଉଁ ମଧୁଚନ୍ଦ୍ରିକା ରହିଛି, ଯେ ମଣ୍ଡିରେ ଧାନ ଓହ୍ଲାଇ ବଦଳରେ ବିନା ପାସ୍ରେ ମିଲକୁ ଯାଉଛି ଧାନ । କେମିତି ଚାଲିଛି ଧାନ କିଣା ବଲାଙ୍ଗୀର ଜିଲ୍ଲାରେ ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ ।

ବଲାଙ୍ଗୀରର ତୁଷରାରେ ଥିବା କେଡିଆ ରାଇସମିଲ୍ । ଏଠାରେ ସକାଳୁ ସକାଳୁ ଲାଗିଛି ଧାନ ଗାଡିର ଲମ୍ବା ଲାଇନ । ଆମେ ଯେତେବେଳେ ଧାନ ଆଣି ଆସିଥିବା ଟ୍ରକ ଡ୍ରାଇଭରକୁ ପଚାରିଥିଲୁ ତାଙ୍କ ଉତର ଥିଲା, ମଣ୍ଡିରେ ଧାନ ନ ଓହ୍ଲାଇ ସିଧା ମିଲକୁ ବିନା ଟ୍ରାଞ୍ଜିଟପାସରେ ଧାନ ଦେବା ପାଇଁ କୁହାଯାଇଛି । ତେବେ ନିୟମ ଅନୁସାରେ ଚାଷୀ ଧାନ ମଣ୍ଡିରେ ଦେବେ ଓ ପରେ ମଣ୍ଡିରୁ ଧାନକୁ ମିଲର୍ସ ନିଜ ଟ୍ରକ ମାଧ୍ୟମରେ ମିଲକୁ ନେବେ । କିନ୍ତୁ ଏଠାରେ ଏହି ନିୟମର ଖୁଲମଖୁଲ୍ଲା ଉଲ୍ଲଙ୍ଘନ କରାଯାଇଛି ।

ବଲାଙ୍ଗୀରର ମଲମୁଣ୍ଡା, ମହିମୁଣ୍ଡା, ଉପରଝର ପ୍ୟାକ୍ସ ଏହି ମଣ୍ଡିରେ ଧାନ ବସ୍ତା ଦୀର୍ଘଦିନ ଧରି ପଡିରହିଛି ଓ ଏହା କେବେ ଉଠିବ ସେ ଆଶାରେ ଜଗି ବସିଛି ଚାଷୀ । କିନ୍ତୁ ମିଲର୍ସଙ୍କ ଦେଖା ନାହିଁ । ଆଉ ଦୀର୍ଘଦିନ ଧରି ଧାନ ପଡିରହିଥିବାରୁ ଚାଷୀ କମ ଦାମରେ ମିଲରେ ଧାନ ଦେବାକୁ ବାଧ୍ୟ ହେଉଛି । ଆଉ ଏହାର ଫାଇଦା ଉଠାଇ କିଛି ମଣ୍ଡିର କର୍ମଚାରୀ ଚାଷୀଙ୍କୁ ଧାନକୁ ସିଧାସଳଖ ମିଲକୁ ନେବାକୁ ଉସୁକାଉଛନ୍ତି । ଆଉ ମିଲର୍ସ ଏହାର ଫାଇଦା ଉଠାଇ କମ ଦାମରେ ଧାନ କିଣୁଛନ୍ତି । କାଗଜପତ୍ରରେ ଫଲସ ଏଂଟ୍ରି କରି କୋଟି କୋଟି ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି ।

ହାଇକୋର୍ଟଙ୍କ ରାୟ ଅନୁସାରେ, ବଲାଙ୍ଗୀରରେ ଚାଷୀଙ୍କଠାରୁ କୌଣସି ମଲର୍ସ ଧାନ ସିଧାସଳଖ କରିଣିପାରିବନାହିଁ । ମଣ୍ଡି ମାଧ୍ୟମରେ ଧାନ କିଣିପାରିବେ । କିନ୍ତୁ ଜିଲ୍ଲାରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି । ବାଲାଙ୍ଗିରରେ କେବଳ କେଡିଆ ରାଇସମିଲ ନୁହେଁ ଅନେକ ମିଲରେ ଚାଲିଛି ଏଭଳି ବେଆଇନ କାମ । ଆଉ ଯୋଗାଣ ଅଧିକାରୀ ଚୁପ୍ ହୋଇ ବସିଛନ୍ତି । ପ୍ରଶ୍ନ ଉଠୁଛି,
-ରାଇସମିଲକୁ ସିଧାସଳଖ ଧାନ ଯାଉଛି କେମିତି?
-ମଣ୍ଡିରେ ମିଲର୍ସ-ଯୋଗାଣ ଅଧିକାରୀ ମୁଧୁଚନ୍ଦ୍ରିକା ଚାଲିଛି କି?
-ପ୍ରଶାସନ ଏ ସବୁ ଜାଣିପାରୁନାହିଁ କେମିତି ?