କନକ ବ୍ୟୁରୋ: ଫସଲ ଅମଳ ହେଲେ କରଜ ସୁଝା ହେବ । ପିଲା ଛୁଆଙ୍କ ପାଇଁ ବର୍ଷକର ଆହାର ସଂଗ୍ରହ କରିବେ । ଧାନ ଚାଷ କରିବା ବେଳେ ଏମିତି କିଛି ଆଶା ରଖିଥିଲେ ନିଳଗିରିର ଚାଷୀ । ହେଲେ ଧାନ ପାଚିବା ଆଗରୁ ପୋକ ଖାଇଗଲେ ଗଛ । ରୋଗପୋକ ଲାଗିବାରୁ ଏକର ଏକର ଫସଲ ନଷ୍ଟ ହେବା ପରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।
ଫସଲ ଖାଇ ଯାଉଛନ୍ତି ରୋଗପୋକ । ଚାଷୀଙ୍କୁ ଘାରିଛି ଚକଡ଼ା ପୋକ ଚିନ୍ତା । ଚକଡ଼ା, ପତ୍ରଗୁଣ୍ଡି ଓ ନଳୀ ପୋକ ଲାଗି ଫସଲ ନଷ୍ଟ ହେଉଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଏକର ଏକର ଚାଷ ଜମିରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି ।
ପୋକ ଲାଗିବାରୁ ଧାନ ପତ୍ର ମୋଡ଼ା ହେବା ସହ କେଣ୍ଡା ନଷ୍ଟ ହୋଇ ଯାଉଛି । ଧାନ ପତ୍ର ଗୁଡ଼ିକଧଳା ରଙ୍ଗ ହେଇଯାଉଛି । ଧାନ ଗଛ ପାଚିଲା ଭଳି ଦେଖାଯାଉଛି । ଏଭଳି ସ୍ଥିତିରେ ପୋକ କବଳରୁ ଚାଷକୁ ରକ୍ଷା କରିବା ପାଇଁ ବାରମ୍ବାର କୀଟନାଶକ ପକାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା କହିଛନ୍ତି ନିଳଗିରି ବ୍ଲକ ସିଆଡିମାଳ ପଞ୍ଚାୟତର ଚାଷୀ ।