ଅଦିନିଆ ବର୍ଷା ଉଜାଡି ଦେଲା ଫସଲ । ଖଳାରେ ଗଜା ହୋଇଗଲା ଧାନ, ନଷ୍ଟ ହୋଇଗଲା ଏକର ଏକର ଜମିର ଫସଲ ।

114

କନକ ବ୍ୟୁରୋ : ଅଦିନିଆ ବର୍ଷା ସାରା ରାଜ୍ୟରେ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ବର୍ଷା ଯୋଗୁଁ ପାଗ କୋହଲା ରହିବା ସହ ଶୀତ ଲହରି ଜାରି ରହିଛି । ଅସମୟରେ ବର୍ଷା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଉଜୁଡି ଯାଇଛି ଫସଲ । କେଉଁଠି ଜମିରେ ବର୍ଷା ପାଣି ଜମି ରହିଛି ତ ଆଉ କେଉଁଠି ଅମଳ ଧାନବସ୍ତା ବର୍ଷାରେ ଭିଜି ଯାଇଛି ।

ବଣାଇ, ସୁନ୍ଦରଗଡ । ଅସମୟରେ ବର୍ଷା ଯୋଗୁଁ ପୁଣି ଥରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ସୁନ୍ଦରଗଡ ବଣାଇ ଅଂଚଳରେ ଦୁଇ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ଚାଷୀ ଅମଳ କରି ମଣ୍ଡିକୁ ବିକ୍ରି ପାଇଁ ଆଣିଥିବା ଶହ ଶହ ବସ୍ତା ଧାନ ଭିଜିଯାଇଛି । ଧାନ ଗଦା ତଳେ ପାଣି ପଶି ଯାଇଛି । ପାଣିକୁ କିଭଳି ବାହାର କରିବେ ସେଥିପାଇଁ ଦିନ ରାତି ଏକ କରି ଦେଇଛନ୍ତି ଚାଷୀ । ମିଲରମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଧାନ ଉଠି ପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ସୁନ୍ଦରଗଡ ବଣାଇ ପରି ବଲାଙ୍ଗୀରର ପାଟଣାଗଡ ଅଂଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଧାନ ବିକ୍ରି ପାଇଁ ହୋଇଥିବା ଟୋକନ ବ୍ୟବସ୍ଥାରେ ଅବ୍ୟବସ୍ଥା ଯୋଗୁଁ ମଣ୍ଡିକୁ ଯିବା ପୂର୍ବରୁ ଖଳାରେ ଭିଜୁଛି ପ୍ରାୟ ୬ ଶହ କୁଇଣ୍ଟାଲ ଧାନ । ଟୋକନ ନମିଳିବାରୁ ଧାନ ବିକ୍ରି କରିପାରିନାହାନ୍ତି ଚାଷୀ । ଫଳରେ ଖଳାରେ ହିଁ ଭିଜୁଛି ଧାନ ।

କେବଳ ଧାନ ଫସଲ ନୁହେଁ ପରିବା ଫସଲ ମଧ୍ୟ ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଛି । ଦୁଇଦିନର ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲା ବୁଦ୍ଧିଆପାଲ୍ଲୀ ଗାଁର ୩୦-୪୦ ଏକର ଜମିରେ ଟମାଟୋ ଫସଲ ନଷ୍ଟ ହୋଇଛି । ଅଧିକାଂଶ ଟମାଟୋ ଫାଟିଯାଇଛି କିମ୍ବା ପଚିଯାଇଛି । ବର୍ଷା ମାଡରେ ପରିବା ଗଛ ବି ନଷ୍ଟ ହୋଇଛି । ବର୍ଷ ସାରା ପରିଶ୍ରମ କରି ଅମଳ କରିଥିବା ଫସଲ ଆଖି ଆଗରେ ନଷ୍ଟ ହେବାକୁ ଯାଉଥିବାବେଳେ ଚାଷୀ କଣ କରିବ ତାକୁ ନେଇ ଚିନ୍ତାରେ ପଡିଛି ।