ଦାଉ ସାଜିଲା ଅଦିନିଆ ବର୍ଷା । ଧାନ ଅମଳର ୩ମାସ ପରେ ବି ବିକ୍ରୀ କରିବାରେ ବିଫଳ ଚାଷୀ, ବାହାରେ ପଡ଼ି ଗଜା ହୋଇଗଲାଣି ଚାଷୀର ପରିଶ୍ରମ ।
କନକ ବ୍ୟୁରୋ: ଧାନ ଅମଳର ତିନିମାସ ପରେ ବି ବିକ୍ରୀ କରିବାରେ ବିଫଳ ଚାଷୀ । ବାହାରେ ପଡି ନଷ୍ଟ ହେଉଛି ଅମଳ ଧାନ । କେଉଁଠି ରାସ୍ତାକଡରେ ତ ଆଉ କେଉଁଠି ଘର ଆଗରେ । ଏବେ ବି ଜମିରେ ପଡିରହିଛି ବସ୍ତା ଧାନ । ଚାଷୀ ଧାନ ବିକ୍ରୀ କରିବାକୁ ଆଶା ରଖିଥିବା ବେଳେ ଅଦିିନିଆ ବର୍ଷା ପରେ ଧାନ ବସ୍ତା ଓଦା ହୋଇ ଧାନ ଗଜା ହୋଇ ଯାଇଛି । ଯାହାକୁ ଦେଖି ଚାଷୀର ମନୋବଳ ଭାଙ୍ଗି ଯାଇଛି । ଗଜପତି ଗୋଷାଣୀ ବ୍ଳକର ବିଭିନ୍ନ ଗାଁରୁ ଆସିଛି ଚାଷୀଙ୍କ ଏଭଳି ଦୁଃଖଦ ଖବର ।
Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ଅନଲାଇନ ଟୋକେନ ବ୍ୟବସ୍ଥାରେ ସରକାର ଧାନ କିଣୁଛନ୍ତି । ହେଲେ ଏହି ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଥିଲା । ତଥାପି ସରକାର ଟୋକନ ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଲକ୍ଷ୍ୟ ମୁତାବକ ଧାନ କିଣିଛନ୍ତି । କିନ୍ତୁ ଗଜପତି ଜିଲ୍ଲାରେ ତିନି ତିନି ଥର ଟାର୍ଗେଟ ଦିଆଯାଇଥିଲେ ବି ଶହଶହ ଚାଷୀ ଧାନବିକ୍ରୀ କରି ପାରିନାହାନ୍ତି । ଫଳରେ ରାସ୍ତା କଡରେ, ଖଳାରେ ଓ ଚାଷ ଜମିରେ ପଡି ରହିଛି ଅମଳ ଧାନ । ବର୍ଷା ପରେ ସେ ସବୁ ଧାନ ଗଜା ମଧ୍ୟ ହୋଇ ଗଲାଣି । ସବୁଠୁ ବଡ ବିଡମ୍ବନାର ବିଷୟ ଏକ ନିଦ୍ଧିଷ୍ଟ କିସମର ଧାନକୁ ଗ୍ରହଣ କରୁନାହାନ୍ତି ମିଲର । ଚାଷୀଙ୍କ ଅଭିଯୋଗ ଅନୁସାରେ ସମବାୟ ସମିତିରୁ ୧୦୦୧ କିସମର ବିହନ କିଣି ଚାଷୀ ଚାଷ କରିଥିଲେ । ଏବେ ଅମଳ ପରେ ଏହି କିସମର ଧାନକୁ ନେଉ ନାହାନ୍ତି ମିଲର ।
ଅନ୍ୟ ପକ୍ଷରେ ବିଭାଗିୟ ଅଧୀକାରିଙ୍କ କହିବା ଅନୁସାରେ, ଗୋଷାଣି ବ୍ଳକର ଗୁରାଣ୍ଡି ଓ ସାତମାଇଲ ମଣ୍ଡିରେ ମିଲରଙ୍କ ମନମାନି ଅଭିଯୋଗ ଆସିଛି । ସେମାନଙ୍କୁ ତାଗିଦ କରାଯିବ ଏବଂ ଆବଶ୍ୟକ ଟାର୍ଗେଟ ଧାନ କିଣା ପାଇଁ ପୁଣିଥରେ ସରକାରଙ୍କୁ ଅନୁରୋଧ କରାଯାଇଛି । ସେ ଯାହାବି ହେଉ, ମିଲର ଓ ମଣ୍ଡି କର୍ମଚାରୀଙ୍କ ସଲାସୁତରା ବା ଯୋଗାଣ ବିଭାଗର ଅବହେଳା । ବର୍ଷାରେ ମାଡ ଖାଇ ନଷ୍ଟ ହୋଇ ଯାଇଥିବା ଧାନକୁ ମିଲର କିଣୁନଥିବା ବେଳେ ଚାଷୀ ସେମାନଙ୍କୁ ପାଉଣାକୁ ନେଇ ଚିନ୍ତାରେ ପଡିଛନ୍ତି ।