କନକ ବ୍ୟୁରୋ: ଓଡିଶା ଉପରେ ଟ୍ରପ ଲାଇନ ଯୋଗୁଁ ଉପକୂଳ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଛି । ଶୀତ ଦିନେ ଝିପିଝିପି ବର୍ଷାକୁ ଦେଖି ଛାନିଆ ଚାଷୀ । ଅମଳ ସମୟରେ ଏଭଳି ପାଗ ଯୋଗୁଁ ଧାନ ଫସଲ କ୍ଷତି ହେବା ସହ ଆଉ ଖଳାକୁ ଆସିବ ନାହିଁ ବୋଲି କହିଛନ୍ତି ଚାଷୀ ।
ବିଲରେ ଓଦା ହୋଇଗଲା ପାଚିଲା ଧାନ । ଏବେ ଧାନ ଅମଳ ସମୟ ହୋଇଥିବାରୁ କେଉଁଠି ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ପାଚିଲା ଧାନ କଟା ଅପେକ୍ଷାରେ ଅଛି । ଜଗତସିଂହପୁର ଜିଲ୍ଲାରେ ହାଲକା ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ଚାଷୀ ଏବେ ଚିନ୍ତାରେ । ବର୍ଷା ଯୋଗୁଁ ଏକର ଏକର ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଧାନ କଟା ହୋଇ ବିଲରେ ପାହି ପାହି ହୋଇ ପଡିଛି । ଆଉ ଏତିକି ବେଳେ ବର୍ଷା ହେବାରୁ ବିଲରେ ପାଣି ଜମି ଗଲା ଏବଂ ପାଚିଲା ଧାନ ବର୍ଷାରେ ଭିଜିଗଲା । ତେଣୁ ଅମଳ କମିଯିବାର ଆଶଙ୍କା କରାଯାଉଛି ।
ଜଗତସିଂହପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ ୮୬, ହଜାର ୨୨୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ଏବେ ଅମଳ ସମୟ ହୋଇଥିବାରୁ ପ୍ରାୟ ୭୦ ପ୍ରତିଶତ ଧାନ କଟା ହେବା ପରେ ଚାଷୀ ଖଳାକୁ ଆଣି ସାରିଛନ୍ତି । ବାକି ଯେଉଁ ଧାନ ବିଲରେ ରହିଛି ତାହା ବର୍ଷାରେ ନଷ୍ଟ ହେବାର ଆଶଙ୍କା ରହିଛି । ସେପଟେ ପୂର୍ବରୁ ବାତ୍ୟା ଫୋନି ଓ ବୁଲ ବୁଲ ଯୋଗୁଁ ଚାଷୀ ବହୁ କ୍ଷତି ସହି ସାରିଛି । ଆଉ ଏବେ ଅମଳ ସମୟରେ ବର୍ଷା ଚାଷୀଙ୍କ ଭାତହାଣ୍ଡିରେ ମାଡ କରିଛି । ଏ ବର୍ଷ ଧାନ ଫସଲ ଭଲ ହୋଇ ଥିବାରୁ ହେକ୍ଟର ପିଛା ୪୦ କୁଇଂଟାଲ ଧାନ ଅମଳ ହେବାର ଲକ୍ଷ୍ୟ ରହିଛି । ହେଲେ ଅମଳ ସମୟରେ ଅଦିନିଆ ବର୍ଷା ଅମଳ ଚାଷୀକୂଳକୁ ପ୍ରଭାବିତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-03-15h40m35s787.png)
/kanak/media/post_attachments/wp-content/uploads/2020/01/vlcsnap-2020-01-03-15h40m48s197.png)
/kanak/media/post_attachments/wp-content/uploads/2020/01/2.png)