ଖବର ବାଜିଲା, ପ୍ରଶାସନ ଚେତିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ କୁଚିଣ୍ଡା ମଣ୍ଡିରୁ ଉଠିଲା ଧାନ । 

69

କନକ ବ୍ୟୁରୋ : କନକନ୍ୟୁଜରେ ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ । ମଣ୍ଡିରୁ ଆରମ୍ଭ ହୋଇଛି ଧାନ ବିକ୍ରି । ଏବେ ମିଲର୍ସ ଆସୁଛନ୍ତି, ଟ୍ରକ ଆସୁଛି, ଶହ ଶହ ବସ୍ତା ଧାନ ବିକ୍ରି ହେବା ଦେଖି ଚାଷୀ ବି ଖୁସି । ଏହିପରି ଦୁଇ ତିନି ଧରି ଧାନ ବିକ୍ରି ଚାଲିଲେ ମଣ୍ଡିରେ ଶୀତକାକରରେ ଧାନ ଜଗି ରହିଥିବା ଚାଷୀ ପୁରା ଧାନ ବିକ୍ରି କରିପାରିବେ ବୋଲି ଆଶା କରିଛନ୍ତି ।

ରାତିରେ ବି ଚାଲିଛି ମଣ୍ଡିରେ ଧାନ କିଣା । ଟ୍ରକ୍ ଆସୁଛି, ବସ୍ତା ବସ୍ତା ଧାନ ଉଠୁଛି । ଟୋକନ୍ ଦେଖାଇ ଧାନ ବିକୁଛନ୍ତି ଚାଷୀ । କୁଚିଣ୍ଡାରେ ଧାନ ମଣ୍ଡିରେ ଧାନ ବିକି ନପାରି ଚାଷୀ କିପରି ହଟହଟା ହେଉଛନ୍ତି , ଏନେଇ ଆମେ ଆଗରୁ ଖବର ପ୍ରସାରଣ କରିଥିଲୁ । ଏହି ଖବର ପ୍ରସାରଣ ପରେ ହଠାତ୍ ଚେତିଛି ପ୍ରଶାସନ । ବଦଳି ଯାଇଛି ଚିତ୍ର । ଏବେ ଆରମ୍ଭ ହୋଇଛି ଧାନ ବିକ୍ରି । ଦିନ ପରି ରାତିରେ ବି ମଣ୍ଡିରୁ ଉଠୁଛି ଧାନ ।

ବିକ୍ରି ଅପେକ୍ଷାରେ ପଡି ରହିଥିଲା ଶହ ଶହ ବସ୍ତା ଧାନ । ସପ୍ତାହ ସପ୍ତାହ ଧରି ଚାଷୀ ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହି ଏହାକୁ ଜରି ରହିବାକୁ ବାଧ୍ୟ ହେଉଥିଲେ । ଚାଷୀଙ୍କୁ ଗୋଟିଏ ଭୟ ଥିଲା ଟୋକନ୍ ଲାପସ୍ ହୋଇଗଲେ, କରିବେ କଣ । ଏବେ ଟ୍ରକ ଆସୁଛି, ଧାନ ଉଠୁଛି । ଚାଷୀଙ୍କୁ ଟୋକନ୍ ମିଳାଇ ଧାନ ବିକ୍ରି କାମରେ ସହାୟତା କରିବାକୁ ଆଗେଇ ଆସିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ।