ରାଜରାସ୍ତାରେ ଫାଇଲିନ ବାସହରା ! ଦାବି ପୂରଣ ନହେଲେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରିବାକୁ ଚେତାବନୀ

25

କନକ ବ୍ୟୁରୋ: ରାଜଧାନୀ ଲୋୟର ପିଏମଜିରେ ଫାଇଲିନ ବାସହରା । ଫାଇଲିନ ବାତ୍ୟାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବାସହରା ହୋଇଥିବା ଲୋକଙ୍କୁ ପକ୍କା ଘର ନିର୍ମାଣ ପାଇଁ ୭ ଦିନ ମଧ୍ୟରେ ସରକାର କିଛି ପଦକ୍ଷେପ ନିଅନ୍ତୁ । ନହେଲେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରାଯିବ । ଏହା ସହିତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ଏବଂ ମନ୍ତ୍ରୀ ଓ ଅଫିସରମାନଙ୍କୁ ସେହି ଅଂଚଳରେ ପୁରାଇ ଦିଆଯିବ ନାହିଁ ବୋଲି ଫାଇଲିନ କ୍ଷତିଗ୍ରସ୍ତ ସଂଗ୍ରାମ ମଂଚ ଚେତାବନୀ ଦେଇଛି ।

ମାଲୁଦରୁ ଗତ ୬ ତାରିଖରେ ବାହାରିଥିବା ଏହି ପଦଯାତ୍ରୀ ଦଳ କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାରେ ପ୍ରଥମେ ସଭା ଆୟୋଜନ କରିଥିଲେ । ପାଣିରେ ପଶି ଚିଲିକା ପାରିହେବା ପରେ ସେମାନେ ସାତପଠା, ବ୍ରହ୍ମଗିରି, ମାଳତିପାଟପୁର ଓ ସାକ୍ଷୀଗୋପାଳ ଦେଇ ଭୂବନେଶ୍ୱରରେ ପହଚିଂଥିଲେ ।

ସୂଚନା ମୁତାବକ, ସରକାର ପ୍ରତିଶ୍ରୃତି ପାଳନ କରିନଥିବା ଅଭିଯୋଗରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଭୁବନେଶ୍ୱରରେ ପହଂଚିଥିଲା । ଚିଲିକାରୁ ଆନ୍ଦୋଳନ ଆରମ୍ଭ କରିଥିଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଫାଇଲିନ ମଂଚ । ୨୦୧୩ ମସିହାରେ ଫାଇଲିନ ବାତ୍ୟାରେ ପୁରୀ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ୨ଟି ବ୍ଲକରେ ୧୪ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ । ପରେ ସରକାର ବାସହରାଙ୍କୁ ବାତ୍ୟା ନିରୋଧ ଘର ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଏହା ଏଯାଏଁ ପାଳନ ହୋଇନାହିଁ । ଏହାର ପ୍ରତିବାଦରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଫାଇଲିନ କ୍ଷତିଗ୍ରସ୍ତ ପାଇକ. କୃଷକ ଓ ମତ୍ସ୍ୟଜୀବୀ ପରିବାର ପଦଯାତ୍ରା କରୁଛି । ଏହି ପଦଯାତ୍ରା ଏବେ ଭୁବନେଶ୍ୱରରେ ପହଂଚିଛି ।

ତେବେ ନିଷ୍ପତି ଅନୁଯାୟୀ ପ୍ରାୟ ୨୫୪ ବର୍ଗ ଫୁଟ ଅଞ୍ଚଳ ବିଶିଷ୍ଟ ଜମିରେ ପକ୍କା ଘର ତିଆରି କରି ଦେବାପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଜଣେ କ୍ଷତିଗ୍ରସ୍ତ ପରିବାରକୁ ପ୍ରାୟ ୩ ଲକ୍ଷ ଟଙ୍କା ବଜେଟ ମଧ୍ୟ ହୋଇଥିଲା । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଏନେଇ କିଛି ଶୁଣୁନାହାଁନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପାଖରେ ଫାଇଲିନ୍ କ୍ଷତିଗ୍ରସ୍ତ ପାଇକ, କୃଷକ ଓ ମତ୍ସ୍ୟଜୀବୀ ସଂଗଠନ ଓଡିଆରପି କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିବା ପାଇଁ ସଂଗଠନ ନିଷ୍ପତ୍ତି ନେଇ ଗତ ୬ ତାରିଖରୁ କୃଷ୍ଣପ୍ରସାଦ ମାଲୁଦ ଅଞ୍ଚଳ ହନୁମାନ ମନ୍ଦିରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ।