ପଦ୍ମପୁର ବିଧାନସଭା ଉପନିର୍ବାଚନ, ଆରମ୍ଭ ହେଲା ମତଦାନ : ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି

91

କନକ ବ୍ୟୁରୋ : ଆଜି ପଦ୍ମପୁର ଉପନିର୍ବାଚନ ପରୀକ୍ଷା । ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁର ବାସୀ ମତଦାନ କରିବେ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ୍ଣ ୪ଟା ଯାଏଁ ଚାଲିବ । ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ମତଦାନ ପାଇଁ ମୋଟ୍ ୩୧୯ଟି ବୁଥର ଭୋଟ୍ ଗ୍ରହଣ ହେବ ।

ପ୍ରତି ବୁଥରେ ୪ ଜଣ ଅଧିକାରୀଙ୍କ ସହ ମୋଟ୍ ୧୨୮ ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି । ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା, ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ମୋଟ୍ ୧୨୭୬ ନିର୍ବାଚନ ଅଧିକାରୀ ନିଯୁକ୍ତ ରହିଛନ୍ତି । ସେହିପରି ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ ୯ଟିି ସିଆରପିଏଫ କମ୍ପାନୀକୁ ନିଯୁକ୍ତ କରାଯାଇଛି । ଉତ୍ତେଜନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ ।

ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋଟ୍ ୩୮ଟି ଅଭିଯୋଗ ଆସିଛି । ବିଭିନ୍ନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୧୬ଜଣ ଜିଆର୍‌ଏସ୍‌ଙ୍କର ବଦଳି ହୋଇଥିବାବେଳେ ୩ଜଣ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଏଥିରୁ ଜଣଙ୍କୁ ନିଲମ୍ବିତ କରାଯାଇଛି । ଆଉ ୬ଜଣ ଜିଆର୍‌ଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ୧୪ଜଣ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି ବୋଲି ସିଇଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।