କନକ ବ୍ୟୁରୋ : ଆଜି ପଦ୍ମପୁର ଉପନିର୍ବାଚନ ପରୀକ୍ଷା । ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି । ଅପରାହ୍ନ୍ଣ ୪ଟା ଯାଏଁ ହେବ ଭୋଟ ଗ୍ରହଣ । ସକାଳ ୯ଟା ସୁଦ୍ଧା ୮ ଦଶମିକ ୫୦ ପ୍ରତିଶତ ମତଦାନ ହୋଇଛି । ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ପଦ୍ମପୁର ଏନଏସି ୨୦୯ ବୁଥରେ ଇଭିଏମ୍ ଅଚଳ ହୋଇଥିଲା । ୮ ଖଣ୍ଡ ଭୋଟ୍ ପଡ଼ିବା ପରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହା ପରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇଁ ପଦ୍ମପୁର ତହସିଲଦାର ୨୦୯ ନମ୍ବର ବୁଥରେ ପହଞ୍ଚିଥିଲେ । ତାଙ୍କ ଉପସ୍ଥିତିରେ ଇଭିଏମ୍ରେ ଥିବା ତ୍ରୁଟିକୁ ସଜାଡ଼ାଯିବା ପରେ ମତଦାନ ସ୍ୱାଭାବିକ ହୋଇଛି । ସେପଟେ ପାଇକମାଳର ୧୨୮ ନମ୍ବର ବୁଥରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ସୂଚନା ରହିଛି । ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି ।
ସେଥିମଧ୍ୟରୁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ ୯ କମ୍ପାନୀ ସିଆରପିଏଫ ଫୋର୍ସ ମୃତୟନ ହୋଇଛନ୍ତି । ଉଜେତନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ ।